ଟାରିଫ୍‌ ଉପରେ ମୋ ସହ କେହି ଯୁକ୍ତି କରିପାରିବେ ନାହିଁ: ଟ୍ରମ୍ପ୍‌

ଓ୍ବାଶିଂଟନ୍‌,୨୦ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୧୩ ତାରିଖରେ ଓ୍ବାଶିଂଟନ୍‌ ଗସ୍ତବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ହ୍ବାଇଟ୍‌ ହାଉସ୍‌ରେ ଭେଟିଥିଲେ। ମୋଦିଙ୍କ ସହ ସାକ୍ଷାତର ଠିକ୍‌ ପୂର୍ବରୁ ଟ୍ରମ୍ପ୍‌ ଏକ ନୂଆ ଟାରିଫ୍‌ ଅର୍ଡରରେ ସ୍ବାକ୍ଷର କରିଥିଲେ। ତଦନୁଯାୟୀ ଯେଉଁ ଦେଶଗୁଡ଼ିକ ଆମେରିକାଠାରୁ ଆମଦାନୀ କରୁଥିବା ସାମଗ୍ରୀଗୁଡ଼ିକ ଉପରେ ଯେତେ ଟିକସ କଷୁଛନ୍ତି, ଆସନ୍ତା ଏପ୍ରିଲରୁ ସେହି ଦେଶରୁ ଆମେରିକାକୁ ରପ୍ତାନି ହେଉଥିବା ସାମଗ୍ରୀ ଉପରେ ମଧ୍ୟ ସମପରିମାଣର ଶୁଳ୍କ ଲାଗୁ ହେବ। ତେବେ ଯେଉଁ ରାଷ୍ଟ୍ର ଆମେରିକାରେ ଫ୍ୟାକ୍ଟ୍ରି, ପ୍ଲାଣ୍ଟ ଆଦି ପ୍ରତିଷ୍ଠା କରି ସାମଗ୍ରୀ ଉତ୍ପାଦନ କରିବେ, ସେମାନଙ୍କ ମେଡିକାଲ, କାର୍‌, ଚିପ୍ସ, ସେମିକଣ୍ଡକ୍ଟର ଆଦି ଉତ୍ପାଦିତ ସାମଗ୍ରୀ ଉପରେ ଟିକସ ଲାଗିବ ନାହିଁ। କାରଣ ଏହାଦ୍ୱାରା ଆମେରିକାରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଟ୍ରମ୍ପ୍‌ ଉକ୍ତ ନିର୍ଦ୍ଦେଶନାମାରେ ସ୍ବାକ୍ଷର କରିବା ପରେ ସ୍ପଷ୍ଟ କରିଥିଲେ। ଉଲ୍ଲେଖଯୋଗ୍ୟ, ଆମେରିକୀୟ ସାମଗ୍ରୀଗୁଡ଼ିକ ଉପରେ ଭାରତ ହାରାହାରି ୯.୫% ଟିକସ କଷିଥାଏ। ଅନ୍ୟପକ୍ଷେ ଆମେରିକା ଭାରତୀୟ ସାମଗ୍ରୀ ଉପରେ ୩% ଟିକସ ଆଦାୟ କରିଥାଏ। ଆମେରିକା ପକ୍ଷରୁ ‘ଯେସାକୁ ତେସା’ ରୀତିରେ ଏଭଳି ପାଲଟା ବା ପ୍ରତିଶୋଧମୂଳକ ଟିକସ ଲାଗୁ ହେଲେ ଭାରତୀୟ ସାମଗ୍ରୀଗୁଡ଼ିକୁ ଆମେରିକୀୟ ବଜାରରେ ପ୍ରବେଶ ପାଇଁ କଷ୍ଟକର ହୋଇଯିବ। ଏଥିଯୋଗୁ ଭାରତୀୟ ବଜାର ବହୁଳ ଭାବେ କ୍ଷତିଗ୍ରସ୍ତ ହେବ ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି, ଯାହାକି ନୂଆ ଟାରିଫ୍‌ ଘୋଷଣା ପରଠାରୁ ପୁଞ୍ଜିବଜାରରେ ଦେଖିବାକୁ ମିଳୁଛି।

ଅନ୍ୟପକ୍ଷେ ଟ୍ରମ୍ପ୍‌ ମୋଦିଙ୍କୁ ସାକ୍ଷାତ୍‌ କରିବାର ଦିନକ ପରେ ଫକ୍ସ ନ୍ୟୁଜ୍‌କୁ ସାକ୍ଷାତ୍‌କାର ବେଳେ ଭାରତ ସହିତ ଆମେରିକାର ନୂଆ ଟାରିଫ୍‌ ନୀତିକୁ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ବିଲିୟନେୟାର ବିଜ୍‌ନେସମ୍ୟାନ୍‌ ଏଲନ୍‌ ମସ୍କଙ୍କ ସହ ଏକ ଟିଭି ଚ୍ୟାନେଲକୁ ମିଳିତ ଭାବେ ସାକ୍ଷାତ୍‌କାର ଦେଇ ଟ୍ରମ୍ପ୍‌ କହିଛନ୍ତି, ଭାରତକୁ ଆମେରିକାର ପାରସ୍ପରିକ
ଟିକସ ବ୍ୟବସ୍ଥାରୁ ଆଦୌ ରିହାତି ମିଳିବ ନାହିଁ। ସେ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅବଗତ କରାଇଥିବା ବିଷୟ ମଧ୍ୟ ଇଣ୍ଟରଭ୍ୟୁ ବେଳେ ସୂଚନା ଦେଇଛନ୍ତି। ଟ୍ରମ୍ପ୍‌ଙ୍କ କହିବା ହେଲା, ଆମେରିକା ଏବେ ଭାରତ ସମେତ ସବୁ ଦେଶ ସହ ସମାନ ବାଣିଜି୍ୟକ ନୀତି ଆପଣାଇବ। ଭାରତରେ କେତେକ ଆମେରିକୀୟ ଉତ୍ପାଦ ଉପରେ ବିଶ୍ୱର ସବୁଠୁ ଅଧିକ ଟାରିଫ୍‌ ଲଗାଯାଉଛି। ବିଶେଷକରି ଅଟୋମୋବାଇଲ୍‌ ସେକ୍ଟରରେ ବିଦେଶୀ କାର୍‌ଗୁଡ଼ିକ ଉପରେ ଭାରତର ଟିକସ ୧୦୦% ରହିଛି।
ଭାରତ ଆମେରିକୀୟ ସାମଗ୍ରୀ ଉପରେ ଯେତିକି ଟିକସ ଲଗାଇବ ଆମେରିକା ମଧ୍ୟ ଅନୁରୂପ ଟିକସ ଲଗାଇବ ବୋଲି ମୋଦିଙ୍କୁ ଟ୍ରମ୍ପ୍‌ କହିଥିଲେ। ମୋଦି କହିଥିଲେ, ନା, ମୁଁ ଏହାକୁ ପସନ୍ଦ କରୁନାହିଁ। ଟ୍ରମ୍ପ୍‌ କହିଥିଲେ, ଆପଣ ଯେତିକି ଟିକସ କଷିବେ, ମୁଁ ମଧ୍ୟ ସେତିକି ଟିକସ କଷିବି। ଏହି ନୀତି ମୁଁ ସବୁ ଦେଶ ସହ ଲାଗୁ କରିବି। ଟ୍ରମ୍ପ୍‌ଙ୍କ ଏହି ମନ୍ତବ୍ୟକୁ ମସ୍କ ସମର୍ଥନ କରି କହିଥିଲେ, ହଁ, ଭାରତ ଅଟୋ ଆମଦାନୀ ଉପରେ ୧୦୦% ଟାରିଫ୍‌ ଲଗାଉଛି। ଟ୍ରମ୍ପ୍‌ ମଧ୍ୟ ଏହାକୁ ଅତ୍ୟଧିକ ବୋଲି ଦୋହରାଇଥିଲେ। ରାଷ୍ଟ୍ରପତି ଟ୍ରମ୍ପ୍‌ ପୁଣି ଦୋହରାଇଥିଲେ, ଏଭଳି ଟାରିଫ୍‌ ଯୋଗୁ ଆମେରିକୀୟ କମ୍ପାନୀଗୁଡ଼ିକ ପାଇଁ ଭାରତରେ କାର୍‌ ବିକ୍ରି କରିବା ଅସମ୍ଭବ ହୋଇପଡ଼ିଛି। ଏହା ଆମେରିକୀୟ ଅର୍ଥନୀତି ପାଇଁ ଅନୁପଯୁକ୍ତ।
ଟ୍ରମ୍ପ୍‌ଙ୍କ ପ୍ରସ୍ତାବିତ ରେସିପ୍ରୋକାଲ ଟାରିଫ୍‌ ବ୍ୟବସ୍ଥାରେ ଆମେରିକା ଭାରତୀୟ ସାମଗ୍ରୀଗୁଡ଼ିକ ଉପରେ ଭାରତ ଭଳି ଟିକସ ଲଗାଇବ। ଏହି ପ୍ରସଙ୍ଗରେ ତାଙ୍କ ସହ କେହି ଯୁକ୍ତି କରିପାରିବେ ନାହିଁ। ‘ମୁଁ ଯଦି କହିବି ୨୫%, ତେବେ ସେମାନେ କହିବେ ଓ.. ତାହା ଭୟଙ୍କର। ତେଣୁ ମୁଁ କହୁଛି, ସେମାନେ ଯେତେ ଟିକସ ଲଗାଇବେ, ଆମେ ସେତେ ଟିକସ କଷିବୁ।’ ଟ୍ରମ୍ପ୍‌ଙ୍କ ଏହି ଟିପ୍ପଣୀରୁ ବୈଶ୍ୱିକ ବାଣିଜ୍ୟରେ ଭାରତ ଓ ଆମେରିକା ମଧ୍ୟରେ ସମ୍ଭାବ୍ୟ ଲଢ଼େଇର ସଙ୍କେତ ମିଳିଛି।
ପ୍ରକାଶ ଯେ, ଭାରତୀୟ ଟାରିଫ୍‌କୁ ନେଇ ଏହା ଟ୍ରମ୍ପ୍‌ଙ୍କ ପ୍ରଥମ ନକାରାମତ୍କ ମନ୍ତବ୍ୟ ନୁହେଁ। ଟ୍ରମ୍ପ୍‌ ନିଜ ପ୍ରଥମ କାର୍ଯ୍ୟକାଳରେ ମଧ୍ୟ (୨୦୧୯ ମେ’ରେ) ଭାରତର ଟିକସ ବ୍ୟବସ୍ଥାକୁ ସମାଲୋଚନା କରି ଭାରତକୁ ‘ଟାରିଫ୍‌ କିଙ୍ଗ୍‌’ ଆଖ୍ୟା ଦେଇଥିଲେ। ମୋଦିଙ୍କ ସଦ୍ୟ ଆମେରିକା ଗସ୍ତ ବେଳେ ଉଭୟ ଦେଶ ଦ୍ୱିପାକ୍ଷିକ ବାଣିଜ୍ୟକୁ ୨୦୩୦ ସୁଦ୍ଧା ଦ୍ୱିଗୁଣିତ କରି ୫୦୦ ନିୟୁତ ଡଲାରରେ ପହଞ୍ଚାଇବା ପାଇଁ ସହମତି ପ୍ରକାଶ କରିଛନ୍ତି। ଏଥିସହ ଚଳିତବର୍ଷ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି (ବିଟିଏ) ପାଇଁ ମଧ୍ୟ ରାଜି ହୋଇଛନ୍ତି। ୨୦୨୪ରେ ଭାରତ-ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ୧୧୮.୨ ବିଲିୟନ୍‌ ଡଲାର ରହିଥିଲା। ଭାରତ ଆମେରିକାରୁ ୫,୭୪୯ ସାମଗ୍ରୀ ଆମଦାନୀ କରିଥିଲା, ଯାହାର ମୂଲ୍ୟ ୪୦.୭ ବିଲିୟନ୍‌ ଡଲାର ହେବ। ସେହିପରି ଆଲୋଚ୍ୟ ଆର୍ଥିକବର୍ଷରେ ଭାରତରୁ ଆମେରିକାକୁ ୭,୩୪୬ ସାମଗ୍ରୀ ରପ୍ତାନି କରାଯାଇଥିଲା, ଯାହାର ମୂଲ୍ୟ ୭୭.୫ ବିଲିୟନ୍‌ ଡଲାର ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀ ମହଲରେ ଚାଞ୍ଚଲ୍ୟ, ଚର୍ଚ୍ଚାରେ ନିଷ୍ପତ୍ତି: କଟନୀଛଟନୀକୁ ସରକାରୀ ମୋହର୍‌!

ବରଗଡ଼,୧୦।୧୨(ପ୍ରେମାନନ୍ଦ ଖମାରୀ): ଧାନ ସଂଗ୍ରହ ପ୍ରକ୍ରିୟାରେ କଟନୀଛଟନୀ ନୂଆ କଥା ନୁହେଁ। ପ୍ରତିବର୍ଷ ବିଭିନ୍ନ ଆଳ ଦେଖାଇ ଧାନ କଟନୀଛଟନୀ ହୋଇଥାଏ। କେତେବେଳେ ମଣ୍ଡିରେ ତ...

୧୮ ଦିନ ପୂର୍ବରୁ ସରିଲା ଶୀତ ଅଧିବେଶନ

ଭୁବନେଶ୍ୱର,୧୦।୧୨ (ରବିନାରାୟଣ ଜେନା): ସପ୍ତଦଶ ବିଧାନସଭାର ପଞ୍ଚମ ତଥା ଶୀତକାଳୀନ ଅଧିବେଶନ ୧୮ ଦିନ ପୂର୍ବରୁ ମଙ୍ଗଳବାର ଅପରାହ୍ନରେ ଶେଷ ହୋଇଛି। ଗୃହର କୌଣସି ସରକାରୀ...

ନ୍ୟୁୟର୍କ ଟାଇମ୍ସ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ,୧୦ା୧୨(ପି.ଟି.):ବଲିଉଡ୍‌ ଅଭିନେତା ଶାହରୁଖ୍‌ ଖାନ୍‌ ନ୍ୟୁୟର୍କ ଟାଇମ୍ସର ୬୭ ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ସ୍ଥାନିତ ହୋଇଛନ୍ତି। ୨୦୨୫ ବର୍ଷ ପାଇଁ ପ୍ରକାଶିତ ଏହି ତାଲିକାରେ...

୧୨ ଯାଏ ଥରିବ ଓଡ଼ିଶା: ଓ୍ବେଭ୍‌ ପାଇଁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୦।୧୨ (ବନ୍ଦନା ସେଠୀ): ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା। ଆହୁରି ୩ ଦିନ ପର୍ଯ୍ୟନ୍ତ ଶୀତ ଲହରି ବା କୋଲ୍ଡ ଓ୍ବେଭ୍‌ ଜାରି...

ବଢ଼ିବ ବିଧାୟକ, ମନ୍ତ୍ରୀଙ୍କ ଦରମା: ଜାଣନ୍ତୁ କେତେ ହେବ…

ଭୁବନେଶ୍ୱର,୧୦ା୧୨(ରବିନାରାୟଣ ଜେନା): ବିଧାୟକ, ମନ୍ତ୍ରୀ ଓ ବାଚସ୍ପତିଙ୍କ ଦରମା ବଢ଼ିବ । ଦରମା ବୃଦ୍ଧି ନେଇ ଦୀର୍ଘଦିନ ଧରି ହୋଇଆସୁଥିବା ଦାବି ସମ୍ପର୍କିତ ବିଲ୍‌ ମଙ୍ଗଳବାର...

ବିଶ୍ୱର ପ୍ରଥମ ଦେଶ ଭାବେ ସୋସିଆଲ ମିଡିଆ ବ୍ୟାନ କଲା ଅଷ୍ଟ୍ରେଲିଆ, ଏତିକି ବର୍ଷରୁ କମ୍ ପିଲା…

ନୂଆଦିଲ୍ଲୀ,୯।୧୨: ପିଲାମାନଙ୍କୁ ସୋସିଆଲ ମିଡିଆର କୁପ୍ରଭାବରୁ ରକ୍ଷା କରିବା ପାଇଁ ଅଷ୍ଟ୍ରେଲିଆ ଏକ ଐତିହାସିକ ପଦକ୍ଷେପ ନେଇଛି। ବୁଧବାର ମଧ୍ୟରାତ୍ରିରୁ ଅଷ୍ଟ୍ରେଲିଆ ୧୬ ବର୍ଷରୁ କମ୍...

ବାରବାଟୀରେ ଭାରତର ବଡ଼ ବିଜୟ! ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ‘ସୂର୍ଯ୍ୟ’ ଟିମ୍

କଟକ,୯।୧୨: ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତୀୟ କ୍ରିକେଟ୍ ଟିମ୍ ଦକ୍ଷିଣ ଆଫ୍ରିକାକୁ ୧୦୧ ରନର...

ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri