Categories: Home Leftଖେଳ

୨୦୨୫ ପାଇଁ ଖେଳରତ୍ନ ପୁରସ୍କାର ନାହିଁ, ତେଜସ୍ବିନ, ଦିବ୍ୟା, ଗାୟତ୍ରୀଙ୍କୁ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ, ୧୮ା୮- ୨୦୨୫ ବର୍ଷ ଲାଗି କୌଣସି ଆଥଲେଟ୍‌ଙ୍କୁ ସମାନ୍‌ଜନକ ଧ୍ୟାନ୍‌ ଚାନ୍ଦ ଖେଳରତ୍ନ ପୁରସ୍କାର ଦିଆଯିବ ନାହିଁ। ଏ ନେଇ କ୍ରୀଡ଼ା ମନ୍ତ୍ରଣାଳୟ ମଙ୍ଗଳବାର ନିଷ୍ପତ୍ତି ନେଇଛି। ଏଥିସହିତ ଚୟନ କମିଟି ଦ୍ୱାରା କରାଯାଇଥିବା ସୁପାରିସ୍‌ର ଅପ୍ରତ୍ୟାଶିତ ପୁନଃ ମୂଲ୍ୟାଙ୍କନ ପରେ ଅର୍ଜୁନ ପୁରସ୍କାର ଲାଗି ମନୋନୀତ ହୋଇଥିବା ୧୭ ଆଥଲେଟ୍‌ଙ୍କ ନାମ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଛି। ହକି ଖେଳାଳି ହାର୍ଦ୍ଦିକ୍‌ ସିଂଙ୍କୁ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ପାଇଁ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଅର୍ଜୁନ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟି ଦ୍ୱାରା ଚୟନ କରାଯାଇଥିଲା। କିନ୍ତୁ ଶେଷରେ ତାଙ୍କୁ ବାଦ୍‌ ଦିଆଯାଇଥିଲା। ଅନ୍ତିମଥର ୨୦୧୪ରେ ଖେଳରତ୍ନ ଲାଗି କୌଣସି ଆଥଲେଟ୍‌ଙ୍କୁ ଚୟନ କରାଯାଇ ନ ଥିଲା।

ପୁରସ୍କାର ଲାଗି ଚୟନ କରାଯାଇଥିବା କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ବିଶ୍ୱକପ୍‌ ବିଜୟୀ ଚେସ୍‌ ଖେଳାଳି ଦିବ୍ୟା ଦେଶ୍‌ମୁଖ, ଡେକାଥଲେଟ୍‌ ଓ ହାଇଜମ୍ପର ତେଜସ୍ବିନ ଶଙ୍କର, ଶଟଲର ଗାୟତ୍ରୀ ଗୋପିଚାନ୍ଦ, ତାଙ୍କ ମହିଳା ଡବଲ୍ସ ପାର୍ଟନର ତ୍ରିଷା ଜଲି, ଗ୍ରାଣ୍ଡମାଷ୍ଟର ଭିଦିତ ଗୁଜରାଠି, ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ପଦକଧାରୀ ବକ୍ସର ନରେନ୍ଦର ବରଓ୍ବାଲ (+୯୨କେଜି), ଯୁବ ବଧିର ରାଇଫଲ ଶୁଟର ଧନୁଶ୍‌ ଶ୍ରୀକାନ୍ତ ରହିଛନ୍ତି। ଚୟନ କମିଟି ପକ୍ଷରୁ ଅର୍ଜୁନ ପୁରସ୍କାର ପାଇଁ ୨୪ ଜଣଙ୍କ ନାମ ସୁପାରିସ୍‌ କରାଯାଇଥିଲା। ହେଲେ ମନ୍ତ୍ରଣାଳୟ ୧୭ ଜଣଙ୍କ ନାମରେ ମୋହର ମାରିଛି। ପୁରସ୍କାରର ମର୍ଯ୍ୟାଦା ବଜାୟ ରଖିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ପୁନଃ ମୂଲ୍ୟାଙ୍କନ ପ୍ରକ୍ରିୟା କରାଯାଇଥିଲା, ଯାହାଫଳରେ ଚଳିତ ବର୍ଷ ଖୁବ୍‌ ବିଳମ୍ବରେ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି।

Share