ମିଳିଲା ନାହିଁ ସହାୟତା , ପୋଖରୀ ଖୋଳିଲେ ମହିଳା

ବଡ଼ଗାଁ, ୧୬।୫(ଡି.ଏନ୍‌.ଏ.): ସରକାରଙ୍କ ପକ୍ଷରୁ ମିଳିଲା ନାହିଁ ସହାୟତା , ଜନପ୍ରତିନିଧି ଓ ଦଳୀୟ ନେତାମାନେ ମଧ୍ୟ ଦୃଷ୍ଟି ଦେଲେନି। ଶେଷରେ ଗାଧୋଇବା ସମସ୍ୟାର ଦୂରୀକରଣ ପାଇଁ ଅଣ୍ଟା ଭିଡିଲେ ମହିଳା ଗୋଷ୍ଠୀ। ପୋଖରୀର ଉନ୍ନତିକରଣ କରି ଦେଖାଇଦେଲେ। ଏଭଳି ଏକ ପ୍ରେରଣାଦାୟୀ କାର୍ଯ୍ୟ  କରି ଦେଖାଇଛନ୍ତି, ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ଫୁଲବାରି ପଞ୍ଚାୟତର ସାଲେପାଲି ଓ ବିର୍ଶୁ ଗ୍ରାମର ମହିଳାମାନେ। ପ୍ରାୟ ୬୦ବର୍ଷ ପୂର୍ବେ ଉଭୟ ଗ୍ରାମର ଲୋକେ ପୋଖରୀ ଖନନ କରିଥିଲେ। ଦୀର୍ଘ ବର୍ଷ ହେଲା ପୋଖରୀର ଉନ୍ନତିକରଣ, ପଙ୍କୋଦ୍ଧାର, ଖନନ କରା ନ ଯିବାରୁ ଅନୁପଯୋଗୀ ହୋଇ ପଡ଼ିରହିଥିଲା। ଗ୍ରାମବାସୀ ସରକାରୀ ଅଧିକାରୀ, ଜନପ୍ରତିନିଧିଙ୍କୁ ଜଣାଇଥିଲେ ମଧ୍ୟ ସମସ୍ୟା ଦୂରୀକରଣ ପାଇଁ ପଦକ୍ଷେପ ନେଲେ ନାହିଁ। ଗତବର୍ଷ ମହିଳାମାନେ ବୈଠକ କରି କିପରି ପୋଖରୀର ଉନ୍ନତିକରଣ କରିହେବ ଆଲୋଚନା କରିଥିଲେ। ଆଲୋଚନାର ନିଷ୍ପତ୍ତି କ୍ରମେ ପୋଖରୀ ଉପରେ ନିର୍ଭର କରୁଥିବା ସାଲେପାଲି ଗାଁର ୭୦ପରିବାର ଏବଂ ବିର୍ଶୁ ଗାଁର ୫୦ ପରିବାରଙ୍କଠାରୁ ୫୦ ଟଙ୍କା ଲେଖାଏଁ ସଂଗ୍ରହ କରାଯାଇଥିଲା। ସେହି ଅର୍ଥରେ ମାଛ ଚାଷ କରାଯାଇଥିଲା। ସେମାନେ ଗତବର୍ଷ ୧୦ହଜାର ଓ ଚଳିତ ବର୍ଷ ୩୦ ହଜାର ଟଙ୍କା ଲାଭ ପାଇଥିଲେ। ଏହି ଅର୍ଥରେ ଜେସିବି ମେଶିନ ଦ୍ୱାରା ଖନନ ଓ ସମତଳ କାର୍ଯ୍ୟ କରାଇଥିଲାବେଳେ ସମସ୍ତ ମହିଳା ଶ୍ରମଦାନ କରି ପୋଖରୀର ଉନ୍ନତିକରଣ କରିଛନ୍ତି। ନାଏବ ସରପଞ୍ଚ ତରୁଲତା ବରିହା, ନିଳିମା ବରିହା, ବାସନ୍ତୀ ପୃଷେଟ, ମାଳତି ସାହୁ, ଶୁଶିଲା ମିଞ୍ଜ, ଅନିତା ମାଝି, ନିରାଶି ପାରେଖ, ଟିକେଶରୀ ସାହୁଙ୍କ ସହିତ ପ୍ରାୟ ୩୦ଜଣ ମହିଳା ପୋଖରୀରେ ଶ୍ରମଦାନ କରୁଥିଲାବେଳେ ଆମ ପ୍ରତିନିଧି କାର୍ଯ୍ୟସ୍ଥଳକୁ ଯାଇଥିଲେ। ସେମାନଙ୍କୁ ପଚାରିବୁଝିବାରୁ ସବୁକଥା ଜଣାପଡ଼ିଥିଲା। କିପରି ଦୀର୍ଘ ବର୍ଷ ହେଲା ସେମାନେ ଗାଧୋଇବା ପାଇଁ ସମସ୍ୟାରେ ପଡୁ୍‌ଥିଲେ ପ୍ରକାଶ କରିଥିଲେ।