ମହାକାଳପଡ଼ା,୭ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କେବି ଦାଣ୍ଡୁଆ ପଞ୍ଚାୟତ ଗୋବରୀନଦୀ ଘାଟକୁ ନେଇ ବଗଗହଣ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧା ଭୋଗୁଥିବା କହିଛନ୍ତି । ଗୋବରୀ ନଦୀ ତିନି ମୁହାଣି ଫେରିଘାଟରେ କାଉସପାଳ – ଭାଟେଣୀ – ବଗଗହଣ ଗ୍ରାମର ଦୈନିକ ଯାତ୍ରୀମାନେ ଯାତାୟାତ କରନ୍ତି। ହେଲେ କିଛି ମାସ ପୂର୍ବରୁ ଏହି ବଗଗହଣ ଗ୍ରାମକୁ ସଂଯୋଗ କରିଥିବା ଘାଟ କୂଳରେ ପଥରବନ୍ଧ ନିର୍ମାଣ ଯୋଗୁ ଘାଟ ଅନ୍ୟ ଗୋଟିଏ ସ୍ଥାନରେ ଲାଗୁଛି। ଏଠାରେ ଡଙ୍ଗା ପାର ଉତାର ଯୋଗୁ ବିଭିନ୍ନ ସମୟରେ ଆଣ୍ଠୁଏ କାଦୁଅରେ ଯାଉଥିବା ଗ୍ରାମର କେତେକ ଲୋକ ଅଭିଯୋଗ କରିଛନ୍ତି। ଏ ନେଇ ଗ୍ରାମବାସୀ ବିଡିଓଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି। ଅପର ପକ୍ଷରେ ଏହି ନଦୀରେ କୁମ୍ଭୀର ଭାସୁଥିବା ଯୋଗୁ ଘାଟ ପାର ହେବା ଆଶଙ୍କା ପ୍ରକାଶ ପାଇଛି ବୋଲି ଉତ୍କଳ ପରମାଣିକ, ରାଜୁ ମଣ୍ଡଳ, ସ୍ବଦେଶ ମାନ୍ନା, ପୁଷ୍ପ ପରମାଣିକ, ବାବୁଲାଲ ମାନ୍ନା, ଅପୂର୍ବ ପରମାଣିକ, ମାଳତୀ ମାଇତି, ଖୁକୁ ମଣି ମଣ୍ଡଳ, ରାଜୁ କର ଓ ସସ୍ମିତା ପରମାଣିକ ପ୍ରମୁଖ କହଛନ୍ତି। ପିଲାମାନେ ସ୍କୁଲ କଲେଜ ବ୍ଲକ ତହସିଲ ମେଡିକାଲ ବଜାରକୁ ଯିବା ପାଇଁ ବିଭିନ୍ନ ସମସ୍ୟା ଉପୁଜିଛି । ଆଗାମୀ ଦିନରେ ସମସ୍ୟା ସମାଧାନ ନ ହେଲେ ବାଧ୍ୟ ହୋଇ ଆନ୍ଦୋଳନ ହେବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ବିଡିଓ ରବିନାରାୟଣ ଆଚାର୍ଯ୍ୟଙ୍କୁ ପଚାରିବାରେ ଘଟଣାସ୍ଥଳ ପରିଦର୍ଶନ କରିବା ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।

