ଭୁବନେଶ୍ୱର,୨୭।୭(ସୁନିତ୍ ମିଶ୍ର): ନୂଆଦିଲ୍ଲୀ ଗସ୍ତ ଶେଷକରି ଶନିବାର ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଓଡ଼ିଶା ଫେରିଛନ୍ତି। ରାଜ୍ୟରେ ଏବେ ବିଭିନ୍ନ ସ୍ଥାନରେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ଓ ଅଦଳବଦଳ ହୋଇପାରେ ବୋଲି ଚର୍ଚ୍ଚା ଚାଲିଛି। ମନ୍ତ୍ରିମଣ୍ଡଳର ଏକ ଫେକ୍ ତାଲିକା ପ୍ରସ୍ତୁତ କରି କେତେଜଣ ସାମାଜିକ ଗଣମାଧ୍ୟମରେ ବୁଲାଉଛନ୍ତି। ଏହାକୁ ନେଇ ଚର୍ଚ୍ଚା ଆହୁରି ଜୋର୍ ଧରିଥିଲା। କେବଳ ସେତିକି ନୁହେଁ, ଭାଜପା ଭିତରେ ଓ ସରକାରୀ ଅଧିକାରୀମାନେ ମଧ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳ ଓ ସମ୍ପ୍ରସାରଣ ବିଷୟକୁ ନେଇ ଆଲୋଚନା କରୁଛନ୍ତି। ହେଲେ ମନମୋହନ ଦିଲ୍ଲୀରୁ ଫେରିବା ପରେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ଓ ଅଦଳବଦଳର ସମ୍ଭାବନା ନାହିଁ ବୋଲି କହିଛନ୍ତି। ତାଙ୍କର ଏଭଳି କଥାରୁ ବର୍ତ୍ତମାନ ସମୟରେ ମନ୍ତ୍ରିମଣ୍ଡଳର ଅଦଳବଦଳ ଏବଂ ସମ୍ପ୍ରସାରଣ ନେଇ କୌଣସି କଥା ଆଉ ଆଗେଇ ନ ପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।
ବିମାନବନ୍ଦରଠାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନମୋହନ କହିଛନ୍ତି, ମନ୍ତ୍ରିମଣ୍ଡଳ ସମ୍ପର୍କିତ ଚର୍ଚ୍ଚା ପାଇଁ ଯାଇ ନ ଥିଲେ। ଦିଲ୍ଲୀରେ ସଙ୍ଗଠନ ଏବଂ ଅଟକି ରହିଥିବା କାର୍ଯ୍ୟ ବାବଦରେ ଆଲୋଚନା ହେଲା। ମନ୍ତ୍ରିମଣ୍ଡଳ ନେଇ ଆଲୋଚନା ହୋଇନାହିଁ। ଏନେଇ ସେମିତି କିଛି ସମ୍ଭାବନା ନାହିଁ। ଭାଜପାର ନୂଆ କମିଟି ଗଠନ ହେବ। ସେଥିରେ ନୂଆ ଏବଂ ପୁରୁଣା ଚେହେରାର ନେତା ରହିଛନ୍ତି। ଠିକ୍ ସମୟରେ ନିଗମ ଓ ବୋର୍ଡ ପଦବୀ ପୂରଣ ହେବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଭାଜପା ସରକାରରେ ଖାଲି ପଡ଼ିଥିବା ୬ ମନ୍ତ୍ରୀ ପଦବୀ ପୂରଣ ଏବଂ କେତେଜଣ ମନ୍ତ୍ରୀଙ୍କୁ ଅଦଳବଦଳ କରିବାକୁ ଆଲୋଚନା ହେଉଥିଲା। ମନମୋହନ ସଭାପତି ହେବା ପୂର୍ବରୁ ମଧ୍ୟ ଖାଲି ପଦବୀ ପୂରଣ ହେବ ବୋଲି କହିଥିଲେ। ଏପରିକି ସେ ୪ର୍ଥ ଥର ଲାଗି ରାଜ୍ୟ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଲିଙ୍ଗରାଜ ମନ୍ଦିରକୁ ଦର୍ଶନ ପାଇଁ ଯାଇ ମନ୍ତ୍ରିମଣ୍ଡଳରେ ଖାଲି ଥିବା ୬ ମନ୍ତ୍ରୀ ପଦ ପୂରଣ ହେବ ବୋଲି କହିଥିଲେ। ହେଲେ ଏଥର ସେ ପରୋକ୍ଷରେ ଏହି ବିଷୟକୁ ଏଡ଼ାଇଯିବା ପରେ ଚର୍ଚ୍ଚା ନୂଆ ମୋଡ଼ ନେଇଛି।


