Categories: ଖେଳ

ଏହି ବୋଲର୍‌ଙ୍କୁ ଛକା ମାରିପାରି ନାହାନ୍ତି କୌଣସି ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ: କ୍ରିକେଟ୍‌ ଖେଳରେ ଏହା କ’ଣ ସମ୍ଭବ ଯେ, କୌଣସି ବୋଲର ତାଙ୍କ ବଲ୍‌ରେ କେବେ ଗୋଟିଏ ହେଲେ ମଧ୍ୟ ଛକା ଖାଇନାହାନ୍ତି। ଆପଣଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗିପାରେ, କିନ୍ତୁ ଏହା ସତ। କ୍ରିକେଟ୍‌ ଇତିହାସରେ ଏହିଭଳି କେତେଜଣ ବୋଲର ରହିଛନ୍ତି, ଯେଉଁମାନେ କି ଲମ୍ବା ଟେଷ୍ଟ କ୍ୟାରିୟର ମଧ୍ୟରେ କେବେ ମଧ୍ୟ ତାଙ୍କୁ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନ ଛକା ମାରିପାରି ନାହାନ୍ତି। ଏହିଭଳି ବିରଳ ସଫଳତା ପାଇଥିବା ବୋଲରଙ୍କ ମଧ୍ୟରେ ଇଂଲଣ୍ଡର ଡାରେଲ ପ୍ରିଙ୍ଗଲ୍‌ ଅନ୍ୟତମ। କେନିଆରେ ଜନ୍ମଗ୍ରହଣ କରିଥିବା ଡାରେଲ ଜଣେ ମଧ୍ୟଗତିର ବୋଲର ଥିଲେ। ସେ ଇଂଲଣ୍ଡ ପକ୍ଷରୁ ୩୦ ଟେଷ୍ଟ ମ୍ୟାଚ୍‌ ଖେଳି ୫ ହଜାର ୨୮୭ ବଲ୍‌ ପକାଇ ୭୦ ଉଇକେଟ୍‌ ଅକ୍ତିଆର କରିଛନ୍ତି। କିନ୍ତୁ ତାଙ୍କ ବଲ୍‌ରେ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନ କେବେ ଛକା ମାରିପାରି ନାହାନ୍ତି। ସେହିଭଳି ଏହି ତାଲିକାରେ ରହିଛନ୍ତି ପୂର୍ବତନ ପାକିସ୍ତାନ ଦ୍ରୁତ ବୋଲର ମହମ୍ମଦ ହୁସେନ। ୧୯୫୨ରେ ଭାରତ ବିପକ୍ଷରେ ପଦାର୍ପଣ କରିଥିବା ହୁସେନ ପାକିସ୍ତାନ ପକ୍ଷରୁ ୨୭ ଟେଷ୍ଟ ମ୍ୟାଚ୍‌ ଖେଳି ୬୮ ଉଇକେଟ୍‌ ନେଇଛନ୍ତି। ସେ ତାଙ୍କ ଟେଷ୍ଟ କ୍ୟାରିୟରରେ ୫,୯୧୦ ବଲ୍‌ ପକାଇଥିଲେ ମଧ୍ୟ କେବେ ଛକା ମାରିବାକୁ ବ୍ୟାଟ୍ସମ୍ୟାନଙ୍କୁ ଦେଇ ନ ଥିଲେ।
୧୯୮୯ ପର୍ଯ୍ୟନ୍ତ ପାକିସ୍ତାନ ପକ୍ଷରୁ ଖେଳିଥିବା ମୁଦାସର ନଜର ମଧ୍ୟ ଏହି ତାଲିକାରେ ରହିଛନ୍ତି। ସେ ୭୬ ଟେଷ୍ଟ ଓ ୧୧୨ ଏକଦିବସୀୟ ମ୍ୟାଚ୍‌ ଖେଳିଛନ୍ତି। ଯଦି ତାଙ୍କ ଟେଷ୍ଟ କ୍ୟାରିୟରକୁ ଆଲୋଚନା କରିବା ତେବେ ସେ ୫,୮୬୭ ବଲ୍‌ ବୋଲିଂ କରିଥିଲେ ମଧ୍ୟ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନ କେବେ ତାଙ୍କୁ ଗୋଟିଏ ଛକା ମାରିପାରି ନାହାନ୍ତି। ଏହି ତାଲିକାର ସବା ଶେଷରେ ରହିଛନ୍ତି ଅଷ୍ଟ୍ରେଲିଆର ନିଲ୍‌ ହ୍ବେକ୍‌। ସେ ୨୭ ଟେଷ୍ଟ ମ୍ୟାଚ୍‌ ଖେଳି ୬,୯୮୭ ବଲ୍‌ ପକାଇଛନ୍ତି। କିନ୍ତୁ କୌଣସି ବ୍ୟାଟ୍ସମ୍ୟାନ ତାଙ୍କ ବଲରେ ଗୋଟିଏ ମଧ୍ୟ ଛକା ମାରିପାରି ନ ଥିଲେ।

Share