Categories: ବାଣିଜ୍ୟ

ନୀରବଙ୍କ ଜାମିନ ଆବେଦନ ଖାରଜ

ଲଣ୍ଡନ: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ଋଣ ଠକେଇ ମାମଲାରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ନୀରବ ମୋଦିଙ୍କ ପ୍ରତ୍ୟପଣ ମାମଲା ଶୁଣାଣି ଲଣ୍ଡନ କୋର୍ଟରେ ହେଉଥିବା ବେଳେ ତାଙ୍କ ଜାମିନକୁ ପୁଣି ଥରେ ଖାରଜ କରାଯାଇଛି। ବର୍ତ୍ତମାନ ସୁଦ୍ଧା କୋର୍ଟ ତାଙ୍କ ଜାମିନ ଆବେଦନକୁ ୭ଥର ଖାରଜ କରି ଦେଇଛନ୍ତି ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ପିଏନ୍‌ବିରେ ୧୩,୦୦୦ କୋଟି ଟଙ୍କା ଠକେଇରେ ନୀରବ ଏବଂ ତାଙ୍କ ମାମୁ ମେହୁଲ ଚୋକ୍‌ସି ସାମିଲ ଅଛନ୍ତି। ଉଭୟେ ଦେଶ ଛାଡି ପଳାୟନ କରିଥିବା ବେଳେ ଗତ ବର୍ଷ ମାର୍ଚ୍ଚରେ ନୀରବଙ୍କୁ ଲଣ୍ଡନ ପୋଲିସ ଗିରଫ କରିଥିଲା। ସେ ପୂର୍ବରୁ ଗତ ବର୍ଷ ମାର୍ଚ୍ଚ ୨୦, ମାର୍ଚ୍ଚ ୨୯, ମେ ୮ ଏବଂ ନଭେମ୍ବର ୬ରେ ଜାମିନ ଆବେଦନ କରିଥିଲେ। ଏହି ଆବେଦନକୁ ଲଣ୍ଡନର ଓ୍ବେଷ୍ଟମିନଷ୍ଟର ଡିଷ୍ଟ୍ରିକ୍ଟ କୋର୍ଟ ପୂର୍ବରୁ ଖାରଜ କରିଛନ୍ତି। ସେହିଭଳି ଗତ ବର୍ଷ ଜୁନ୍‌ ୧୨ ଏବଂ ଚଳିତ ବର୍ଷ ମାର୍ଚ୍ଚ ୫ରେ ଲଣ୍ଡନ ହାଇକୋର୍ଟ ନୀରବଙ୍କ ଜାମିନ ପାଇବା ଆବେଦନକୁ ଖାରଜ କରି ଦେଇଥିଲେ। ସୋମବାର ଓ୍ବେଷ୍ଟମିନଷ୍ଟର କୋର୍ଟରେ ପୁଣି ଆବେଦନ କରାଯାଇଥିଲା। ଏହାକୁ କୋର୍ଟ ଖାରଜ କରିଥିବା ଜଣାପଡିଛି। ମୁମ୍ବାଇ ସ୍ଥିତ ବାର୍ଡିହାଉସ ଶାଖାରୁ ଲେଟର ଅଫ୍‌ ଅଣ୍ଡରଟେକିଂ ଜାଲିଆତି କରି ସେ ୬୪୯୮ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ଆସିଛି। ତାଙ୍କୁ ଭାରତ ଫେରାଇ ଆଣିବା ଲାଗି କେନ୍ଦ୍ର ସରକାରଙ୍କ ବ୍ରିଟେନ ସରକାରଙ୍କ ସହାୟତା ଲୋଡ଼ିଥିଲେ।

Share