ବାଇକ ଧକ୍କାରେ ଚାଲିଗଲା ନବମ ଶ୍ରେଣୀ ଛାତ୍ରଙ୍କ ଜୀବନ

ବାହାନଗା,୯ା୪(ଅରୂପ କୁମାର ଦାସ): ବାହାନଗା ତହସିଲ କାର୍ଯ୍ୟାଳୟର ଦେଢଶହ ମିଟର ଦୂରରେ ଏକ ବାଇକ୍‌ ସାଇକେଲରେ ଆସୁଥିବା ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ମୃତ ଛାତ୍ର ହେଲେ ବାହାନଗା ବ୍ଲକ ଗୋପାଳପୁର ମଣିଭଦ୍ର ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ତଥା ଅରଳା ଗ୍ରାମର ଜିତେନ୍ଦ୍ର ଦାସଙ୍କ ପୁଅ ଶିବାନୀ ଦାସ (୧୪)। ବିଦ୍ୟାଳୟ ଛୁଟି ହେବା ପରେ ସେ ଘରକୁ ଫେରୁଥିବା ବେଳେ ଏହି ଦୁଃଖଦ ଘଟଣା ଘଟିଥିଲା।
ମଙ୍ଗଳବାର ପୂର୍ବାହ୍ନ ସାଢେ ୧୧ଟା ବେଳେ ଉକ୍ତ ବାଇକ୍‌ ଏକ ମାଟି ବୋଝେଇ ଟ୍ରାକ୍ଟରକୁ ସାଇଡ୍‌ ଦେବା ବେଳେ ଶିବାନୀଙ୍କ ସାଇକେଲକୁ ଧକ୍କା ଦେଇଥିଲେ। ଫଳରେ ସେ ସାଇକେଲ ସହିତ ତଳେ ପଡିଯାଇଥିଲେ। ଫଳରେ ଶିବାନୀଙ୍କ ଉପରେ ବାଇକ୍‌ ଚଢିଯିବାରୁ ସେ ଗୁରୁତର ହୋଇପଡିଥିଲେ। ତାଙ୍କୁ ପ୍ରଥମେ ଲୋକେ ଉଦ୍ଧାର କରି ପ୍ରଥମେ ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ। ସେଠାରୁ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର  ମୁଖ୍ୟ ଚିକିତ୍ସାଳୟକୁ  ସ୍ଥାନାନ୍ତରିତ କରାଯାଇ ଥିଲା ା ସେଠାରେ ତାଙ୍କର ମୃତ୍ୟୁ ହୋଇଛି।