ଚିକିତ୍ସା ଅବହେଳାରୁ ଛାତ୍ରୀ ମୃତ୍ୟୁ ଘଟଣା: ୩ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ ଏନ୍‌ଏଚ୍‌ଆର୍‌ସିଙ୍କ ଆଦେଶ

କେନ୍ଦୁଝର,୨୨ା୪(ସ୍ବ.ପ୍ର.): ୨୦୨୦ ଜାନୁୟାରୀ ୧ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଛାତ୍ରୀ ତପସ୍ବିନୀ ହେମ୍ବ୍ରମଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପାଇଁ ଜାତୀୟ ମାନବାଧିକାର କମିଶନ(ଏନ୍‌ଏଚ୍‌ଆର୍‌ସି) ମୁଖ୍ୟ ଶାସନ ସଚିବଙ୍କୁ ଆଦେଶ କରିଛନ୍ତି। ତାଙ୍କ ମୃତ୍ୟୁ ସ୍କୁଲ ଓ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଅବହେଳାରୁ ହୋଇଥିବା ଏବଂ ମାନବିକ ଅଧିକାର ଉଲ୍ଲଂଘନ ହୋଇଥିବା କମିଶନ ଜାଣିବାକୁ ପାଇଛନ୍ତି ।

ପ୍ରକାଶ ଯେ, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ସାହରପଡ଼ା ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଆଶ୍ରମ ସ୍କୁଲରେ ତପସ୍ବିନୀ ୫ମ ଶ୍ରେଣୀରେ ହଷ୍ଟେଲ ରହି ପଢୁଥିଲେ। ସେ ଓ ଅନ୍ୟ ୧୨ ଜଣ ଝାଡ଼ାବାନ୍ତିରେ ଅସୁସ୍ଥ ହେବା ପରେ ସ୍ଥାନୀୟ ଡାକ୍ତରଖାନାରେ ଆଡମିଶନ ହୋଇଥିଲେ। ଏହାପରେ ତାଙ୍କର ଚିକିତ୍ସା ସମ୍ପୂର୍ଣ୍ଣ ନ କରାଯାଇ ତପସ୍ବିନୀଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ୧ତାରିଖ ଭୋର୍‌ ସମୟରେ ତପସ୍ବିନୀଙ୍କର ମୃତ୍ୟୁ ହୋଇଥିଲା। ତେବେ ସ୍କୁଲ ଏବଂ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ନେଇ ଜାତୀୟ ମାନବାଧିକାର କମିଶନରେ ହିମାଂଶୁ ଶେଖର ନାୟକ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ୪୧୨/୧୮.୦୭.୨୦୨୦ରେ କେସ ରୁଜୁ କରି ବିଭିନ୍ନ ବିଭାଗକୁ ରିପୋର୍ଟ ମାଗିଥିଲେ। ତେବେ ବିଭାଗ ପକ୍ଷରୁ ତାଙ୍କ ପରିବାରକୁ ୨୫ ହଜାର ଟଙ୍କା ଆର୍ଥିକ ସହାୟତା ରେଡକ୍ରସରୁ ପ୍ରଦାନ କରାଯାଇଥିଲା। ମାନବିକ ଅଧିକାର ସୁରକ୍ଷା ଆଇନ ୧୯୯୩ ଧାରା୧୮(ଏ) କମିଶନ ମୁଖ୍ୟ ଶାସନ ସଚିବଙ୍କ ଜରିଆରେ  କାହିଁକି ୩ ଲକ୍ଷ ଆର୍ଥିକ ସହାୟତା ଦିଆଯିବ ନାହିଁ ବୋଲି ରାଜ୍ୟ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ କରିଥିଲେ। ତେବେ କମିଶନ ସନ୍ତୋଷ ଜନକ ରିପୋର୍ଟ ନ ପାଇବାରୁ ମୃତାଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବା ସହ ୬ ସପ୍ତାହ ମଧ୍ୟରେ ପ୍ରଦାନ କରାଯାଇଥିବା ସହାୟତା କରିଥିବା ରାଶି ପ୍ରମାଣ ପ୍ରଦାନ କରିବାକୁ କହିଛନ୍ତି। ଏହି କ୍ଷତିପୂରଣ ରାଶି ଦାୟିତ୍ୱରେ ଅବହେଳା କରିଥିବା ସ୍କୁଲ କର୍ତ୍ତୃପକ୍ଷଙ୍କଠାରୁ ଆଦାୟ କରାଯିବା ସହ ଦୋଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।