ସମୁଦ୍ରରେ ନାବାଳକ ପ୍ରୀତମ ନିଖୋଜ ଘଟଣା: ଏସ୍‌ପି, ଡିଜିଙ୍କୁ ମାସେ ମହଲତ ଦେଲେ ଏନ୍‌ଏଚ୍‌ଆର୍‌ସି

ପାରାଦୀପ,୨୧ା୪(ସ୍ବ:ପ୍ର:): ପାରାଦୀପ ବିଜୁ ମଇଦାନ ସମୁଦ୍ରକୂଳରେ ୨୦୨୨ ମେ ୨୧ତାରିଖରେ ନାବାଳକ ପ୍ରୀତମ ଦାସ ନିଖୋଜ ହୋଇଥିଲେ। ଏହି ଘଟଣାରେ ଜଗତ୍‌ସିଂହପୁର ଏସ୍‌ପି ଓ ଡିଜିଙ୍କୁ ଏନ୍‌ଏଚ୍‌ଆର୍‌ସି ପକ୍ଷରୁ ମାସେ ମହଲତ ଦିଆଯାଇଛି। ଆସନ୍ତା ୨୪ ତାରିଖରେ ଏନ୍‌ଏଚ୍‌ଆର୍‌ସିଙ୍କ ନିକଟରେ ଏହି ୨ ବରିଷ୍ଠ ଅଧିକାରୀ ହାଜର ହେବାକୁ ୧୬ା୩ା୨୩ରେ ନୋଟିସ୍‌ ଜାରି ହୋଇଥିଲା। ଧାର୍ଯ୍ୟ ସମୟ ପୂର୍ବରୁ ଜଗତ୍‌ସିଂହପୁର ଏସ୍‌ପି ଏନ୍‌ଏଚ୍‌ଆର୍‌ସି କମିଶନଙ୍କୁ ସବିଶେଷ ଘଟଣା ସମ୍ପର୍କରେ ଲିଖିତ ତଥ୍ୟ ଦେବା ସହ ମାସେ ସମୟ ମାଗିଛନ୍ତି। ଏହାକୁ କମିଶନ ଗ୍ରହଣ କରି ସମୟ ଦେଇଛନ୍ତି ବୋଲି ଆବେଦନକାରୀ ସୁବ୍ରତ କୁମାର ଦାଶ କହିଛନ୍ତି। ସୂଚନାଯୋଗ୍ୟ, ପ୍ରୀତମ ଘଟଣାଦିନ ସାଙ୍ଗମାନଙ୍କ ସହ ସମୁଦ୍ର ପାଣିରେ ଗାଧୋଉ ଥିଲାବେଳେ ନିଖୋଜ ହୋଇଯାଇଥିଲେ। ସ୍ଥାନୀୟ ଜଟାଧାରୀ ମୁହାଣ ସାମୁଦ୍ରିକ ଥାନାରେ ନଂ.୧୬/୨୨ରେ ମାମଲା ରୁଜୁ ହୋଇଥିଲା। ସେତେବେଳେ ଲଗାତାର ୪ ଦିନ ଧରି କୋଷ୍ଟଗାର୍ଡ, ମେରାଇନ ପୋଲିସ, ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ମତ୍ସ୍ୟଜୀବୀମାନଙ୍କ ଦ୍ୱାରା ଖୋଜାଖୋଜି କରାଯାଇଥିଲେ ହେଁ ତାଙ୍କର କୌଣସି ସନ୍ଧାନ ମିଳି ନ ଥିଲା। ଏହି ଘଟଣାରେ ସୁବ୍ରତ ଜାତୀୟ ମାନବିକ ଅଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ। କମିଶନ ନଂ.୨୪୮୯/୨୨ରେ ମାମଲା ରୁଜୁ କରିବା ସହ ୪ ଥର ନୋଟିସ୍‌ ଜାରି କରିଥିଲେ। ଏସ୍‌ପି ଦେଇଥିବା ରିପୋର୍ଟରେ ସମ୍ପୃକ୍ତ ନାବାଳକଙ୍କ ମିଳିବା ଆଶା କ୍ଷୀଣ ବୋଲି ଦର୍ଶାଯାଇଛନ୍ତି।