ଅଳିଆ ଗଦାରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ଧରାକୋଟ,୧।୭(ଡି.ଏନ୍‌.ଏ.): ଧରାକୋଟ ବଡ଼ଦାଣ୍ଡ ସାହି ବାରି ପଛପଟେ ଏକ ଅଳିଆ ଗଦାରୁ ପରିତ୍ୟକ୍ତ ନବଜାତ ଶିଶୁପୁତ୍ର ଉଦ୍ଧାର କରାଯାଇଛି। ଧରାକୋଟ ବଡଦାଣ୍ଡସାହିର ଭାଲୁ ପଣ୍ଡାଙ୍କ ଘର ବାଡ଼ି ପଟ ଅଳିଆ ଗଦାରୁ ପ୍ରାତଃ ସମୟରେ ଏକ ଶିଶୁ ପୁତ୍ର କାନ୍ଦିବା ଶବ୍ଦ ଶୁଣି ରାସ୍ତାରେ ଯାଉଥିବା ଜଣେ ମହିଳା ତାକୁ ଉଦ୍ଧାର କରି ପ୍ରଥମେ ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ।  ପରେ ଧରାକୋଟ ସିଡିପିଓ, ପୋଲିସ ଓ ବାଲୁଙ୍କେଶ୍ୱର ଅନାଥ ଆଶ୍ରମ ସ୍ବେଚ୍ଛାସେବୀ ଅନୁଷ୍ଠାନକୁ ଖବର ଦେଇଥିଲେ। ନବଜାତ ଶିଶୁର ଓଜନ ୨୮୦୦ ଗ୍ରାମ୍‌ ଥିବା ସହ ଖାଦ୍ୟ ଖାଇବାରେ ଅସୁବିଧା ଥିବାରୁ ତାକୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚାଇଲ୍ଡ ଲାଇନ ଓ ଶିଶୁ ମଙ୍ଗଳ ସମିତିକୁ ସୂଚନା ପ୍ରଦାନ କରାଯାଇଥିଲା। ଚାଇଲ୍ଡ ଲାଇନର ପରାମର୍ଶ ଦାତ୍ରୀ ପ୍ରିୟଙ୍କା ବେହେରାଙ୍କ ତତ୍ତ୍ୱାବଧାନରେ ସ୍ବତନ୍ତ୍ର ନବଜାତ ଯତ୍ନ କୋଠାରିରେ ଅଧିକ ଚିକିତ୍ସା ପାଇଁ ରଖାଯାଇଛି। ଧରାକୋଟ ବାଲୁମିକେଶ୍ବର ଅନାଥ ଆଶ୍ରମ ସ୍ବେଚ୍ଛାସେବୀ କାଳିଆ ବେହେରା, ଟୁନା ଦୋରା ପ୍ରମୁଖ ସହଯୋଗ କରିଥିଲେ।