Categories: ଖେଳ

ଦୁଇ ଥର ପାକିସ୍ତାନ ଗସ୍ତ କରିବ ନ୍ୟୁଜିଲାଣ୍ଡ

କରାଚୀ,୨୦।୧୨: ଚଳିତ ବର୍ଷ ପାକିସ୍ତାନରେ ସୀମିତ ଓଭର ସିରିଜ୍‌ ଆରମ୍ଭ ହେବା ପୂର୍ବରୁ ସ୍ବଦେଶ ଫେରିଯାଇଥିଲା ନ୍ୟୁଜିଲାଣ୍ଡ। ବାତିଲ ହୋଇଥିବା ସେହି ସିରିଜ୍‌ ଲାଗି ନ୍ୟୁଜିଲାଣ୍ଡ ୨୦୨୨-୨୩ ସିଜନରେ ଦୁଇ ଥର ପାକିସ୍ତାନ ଗସ୍ତ କରିବ। ଏ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପକ୍ଷରୁ ସୋମବାର ପ୍ରକାଶ ପାଇଥିବା ୨୦୨୨-୨୩ ଫ୍ୟୁଚର ଟୁର ପ୍ରୋଗ୍ରାମରେ ଦର୍ଶାଯାଇଛି।

ଆସନ୍ତା ବର୍ଷ ଡିସେମ୍ବରରେ ନ୍ୟୁଜିଲାଣ୍ଡ ଦଳ ପାକିସ୍ତାନରେ ଦୁଇଟି ଟେଷ୍ଟ ଏବଂ ୩ ଦିନିକିଆ ସିରିଜ୍‌ ଖେଳିବ। ୨୦୨୩ ଏପ୍ରିଲରେ ବ୍ଲାକ୍‌ କ୍ୟାପ୍ସ ଦଳ ୫ ଦିନିକିଆ ଓ ସମାନ ସଂଖ୍ୟକ ଟି୨୦ ଖେଳିବା ପାଇଁ ପାକିସ୍ତାନ ଆସିବ। ୨୦୨୨ ମାର୍ଚ୍ଚରୁ ୨୦୨୩ ଏପ୍ରିଲ ମଧ୍ୟରେ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ପାକିସ୍ତାନ ୮ ଟେଷ୍ଟ, ୧୧ ଦିନିକିଆ ଓ ୧୩ ଟି୨୦ ମ୍ୟାଚ୍‌ ଆୟୋଜନ କରିବ ବୋଲି ପିସିବି ମୁଖ୍ୟ ରମିଜ ରାଜା କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ସେପ୍ଟେମ୍ବରରେ ନ୍ୟୁଜିଲାଣ୍ଡ ସିରିଜ୍‌ ଆରମ୍ଭ ହେବା ପୂର୍ବରୁ ସୁରକ୍ଷା କାରଣ ଦର୍ଶାଇ ପାକିସ୍ତାନ ବିପକ୍ଷ ଗସ୍ତକୁ ବାତିଲ କରି ଦେଇଥିଲା। ଏହି ସିରିଜ୍‌ରେ ୩ ଦିନିକିଆ ସମେତ ୫ ଟି୨୦ ମ୍ୟାଚ୍‌ ଖେଳାଯିବାର ଥିଲା। ତା’ପରେ ପାକିସ୍ତାନକୁ ଗସ୍ତକୁ ବାତିଲ କରି ଦେଇଥିଲା ଇଂଲଣ୍ଡ।

Share