ଲିମା,୫।୧୦ (ପେରୁ): ଦକ୍ଷିଣ ପେରୁର ଆଣ୍ଡିଜ୍ ପର୍ବତମାଳାରେ ବୈଜ୍ଞାନିକମାନେ ଏକ ନୂଆ ପ୍ରଜାତି ଏଣ୍ଡୁଅର ସନ୍ଧାନ ପାଇଛନ୍ତି। ସମୁଦ୍ର ପତନଠାରୁ ପ୍ରାୟ ୪,୮୦୦ ମିଟରରୁ ଅଧିକ ଉଚ୍ଚ ପାର୍ବତ୍ୟାଞ୍ଚଳରେ ଏହି ଏଣ୍ଡୁଅଟି ଦେଖିବାକୁ ମିଳିଛି। ପେରୁର ରାଜଧାନୀ ଲିମାସ୍ଥିତ ସାନ୍ ମାର୍କୋସ ବିଶ୍ୱବିଦ୍ୟାଳୟର ପ୍ରାକୃତିକ ଇତିହାସ ସଂଗ୍ରହାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଏହି ନୂଆ ପ୍ରଜାତିର ଏଣ୍ଡୁଅର ଆଧିକାରିକ ନାମ ‘ଲିଓଲେମସ ଆର୍କିପେନ୍ସିସ୍’ ରଖାଯାଇଛି। ଏହାର ଲମ୍ବ ପ୍ରାୟ ୬ ରୁ ୮ ସେଣ୍ଟିମିଟର ମଧ୍ୟରେ ହୋଇଥାଏ।
ବୈଜ୍ଞାନିକଙ୍କ ସୂଚନା ଅନୁସାରେ, ଏମାନଙ୍କ ଶରୀରର ରଙ୍ଗ ଓ ରୂପ ଲିଙ୍ଗଭେଦରେ ଭିନ୍ନ ଭିନ୍ନ ହୋଇଥାଏ। ମାଈ ପ୍ରଜାତିର ଏଣ୍ଡୁଅ ପିଠିରେ ବର୍ଗାକାର ଚିହ୍ନ ଥିବାବେଳେ ଅଣ୍ଡିରା ପ୍ରଜାତିର ପିଠିରେ ବଙ୍କା ଚିହ୍ନ ସହ ଧଳା ରଙ୍ଗର କାତି ଥାଏ। ଏହି କାତିଗୁଡ଼ିକ ସେମାନଙ୍କୁ ପାର୍ବତ୍ୟ ଓ ପଥୁରିଆ ପରିବେଶରେ ଶତ୍ରୁମାନଙ୍କଠାରୁ ଲୁଚି ରହିବାରେ ସାହାଯ୍ୟ କରେ।
ଏହି ଏଣ୍ଡୁଅଗୁଡ଼ିକ ଉଭୟ ଗଛଲତା ଏବଂ ଛୋଟ ଛୋଟ କୀଟପତଙ୍ଗ ଖାଇ ବଞ୍ଚନ୍ତି। ଏମାନଙ୍କ ମୁଖ୍ୟ ଆହାର ହେଉଛି ମାଙ୍କଡ଼ସା, ଗୋବରପୋକ, ବିଭିନ୍ନ ପ୍ରକାରର ପୋକ ଓ ସେମାନଙ୍କର ଶୂକ।
ଏହି ଗବେଷଣାର ନେତୃତ୍ୱ ନେଇଥିବା ଜୀବବିଜ୍ଞାନୀ ଲିଙ୍ଗ ହୁଆମାନି-ଭାଲ୍ଡେରାମା କହିଛନ୍ତି, ଏହି ନୂଆ ପ୍ରଜାତିର ସନ୍ଧାନ ପେରୁର ଜୈବ-ବିବିଧତାର ବିକାଶ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା। ଏହି ଆବିଷ୍କାର ପାର୍ବତ୍ୟ ଜୀବଜଗତ ଉପରେ ଅଧିକ ଗବେଷଣା ପାଇଁ ନୂଆ ଦିଗ ଉନ୍ମୋଚନ କରିଛି।