ଆସୁଛି ନୂଆ ଓଡ଼ିଆ ସିନେମା ‘ରାଉଡି ରାଜା’

ରାଉଡି ରାଜାକୁ ନେଇ ଏବେ ଓଲିଉଡ୍‌ରେ ଚର୍ଚ୍ଚା। କାରଣ ଏଥର ଫୁଲ୍‌ ଆକ୍ସନ ଗେଟଅପରେ ଆସୁଛନ୍ତି ନବାଗତ ସୋହମ ସିଂ। ନିଜର ଏପରି ନୂଆ ଅବତାରକୁ ନେଇ ବେଶ୍‌ ଆଶାବାଦୀ ଅଛନ୍ତି ସେ। ଅର୍ଥାତ୍‌, ନିର୍ମିତ ହେବାକୁ ଯାଉଥିବା ନୂଆ ଓଡ଼ିଆ ସିନେମା ‘ରାଉଡି ରାଜା’ର ଟାଇଟଲ ଭୂମିକାରେ ସୋହମ ଅଭିନୟ କରିବେ। ଏ ସମ୍ପର୍କରେ ସେ କହନ୍ତି, ‘ଏହି ଫିଲ୍ମର କାହାଣୀ ଏବଂ ମୋ ଭୂମିକା ବିଷୟରେ ଜାଣିବା ପରେ ମୋର ଖୁସି ବନ୍ଧବାଡ ମାନି ନ ଥିଲା। କାରଣ ଏହି ଫିଲ୍ମ ପୂର୍ବରୁ ମୁଁ ରୋମାଣ୍ଟିକ୍‌ ଭୂମିକାରେ ଦର୍ଶକଙ୍କ ସାମନାକୁ ଆସିଥିଲି। ହେଲେ ଏହି ନୂଆ ସିନେମାରେ ମୋର ଭୂମିକାରେ ଯେଉଁ ମସଲା ଅଛି ତାହା ଦର୍ଶକଙ୍କୁ ଶତ ପ୍ରତିଶତ ମନୋରଞ୍ଜନ ଯୋଗାଇବ ବୋଲି ମୁଁ ଆଶା ରଖିଛି।’ ଜେ.ଏନ.ଏସ. ଏଣ୍ଟରଟେନମେଣ୍ଟ ବ୍ୟାନର ଏବଂ ରେ’ ମିଡିଆ କମ୍ୟୁନିକେଶନର ସହଯୋଗିତାରେ ଉକ୍ତ ସିନେମାର ପ୍ରଯୋଜନା କରୁଛନ୍ତି ନବାଗତ ପ୍ରଯୋଜକ ବିଦ୍ୟକାମ ଜିତୁନ୍‌ ମହାନ୍ତି। ଚିତ୍ରର କାହାଣୀ ରଚନା କରିଛନ୍ତି ଜମେଶ ଶୁକ୍ଳା। ଗୀତଗୁଡିକୁ ସ୍ବର ଦେଉଛନ୍ତି ଆଗଧାଡିର ସ୍ବର ସଂଯୋଜକ ବୈଦ୍ୟନାଥ ଦାଶ। ଏହି ଫିଲ୍ମରେ ସୋହମଙ୍କ ଅପୋଜିଟ୍‌ରେ କିଏ ନାୟିକା ସାଜିବ ତାହା ଖୋଜା ଚାଲିଛି। ଓଡ଼ିଆ ଚଳଚ୍ଚିତ୍ର ‘ଅଜାତଶତ୍ରୁ’ରୁ ସୋହମଙ୍କ ବଡ ପରଦା କ୍ୟାରିୟର ଆରମ୍ଭ ହୋଇଥିଲା। ଏବେ ତାଙ୍କ ଅଭିନୀତ ‘ଲଭ୍‌ ୟୁ ପ୍ରିୟା’ ରିଲିଜ ଅପେକ୍ଷାରେ ରହିଛି। ତେବେ ‘ରାଉଡି ରାଜା’ ସୋହମଙ୍କ କ୍ୟାରିୟରକୁ କେତେ ମାଇଲେଜ ଦେଉଛି ତାହା ଫିଲ୍ମଟି ପରଦା ଉପରକୁ ଆସିଲେ ହିଁ ଜଣାପଡିବ।

Share