ନୂଆ ଭାରତ ଆମ ପାଖରେ ଏତେ ଶୀଘ୍ର ଆସିଛି ଯେ, ଆମେ କେଉଁଠି ପହଞ୍ଚିଛୁ ତାହା ଆକଳନ କରିବା ପାଇଁ ପଛକୁ ଟିକେ ଫେରି ଚାହିଁବା ଗୁରୁତ୍ୱପୂର୍ଣ୍ଣ । ଗତ ବର୍ଷ ଅଗଷ୍ଟ ୨୮ରେ, ଆସାମରେ ଭାଜପା ଏହାର ୱେବ୍ସାଇଟରେ ”ରାଜ୍ୟ ଭାଜପା ବିଭିନ୍ନ ଧର୍ମ ମଧ୍ୟରେ ଜମି ବିକ୍ରୟ ଏବଂ କ୍ରୟ ଉପରେ ନୂତନ ସରକାରୀ ନିୟମକୁ ସ୍ୱାଗତ କରୁଛି“ ଶୀର୍ଷକ ଏକ ଆଲେଖ୍ୟ ପ୍ରକାଶ କରିଥିଲା। ଏଥିରେ ଲେଖାଥିଲା ଯେ, ”ଦୁଇଟି ଭିନ୍ନ ଧର୍ମ ମଧ୍ୟରେ ଜମି ବିକ୍ରି ଏବଂ କିଣାବିକା ପାଇଁ ପ୍ରଥମେ ସର୍କଲ ଅଫିସର (ଅଞ୍ଚଳ ଅଧିକାରୀ)ଙ୍କ କାର୍ଯ୍ୟାଳୟରେ ଏକ ଆବେଦନ ଦାଖଲ କରିବାକୁ ହେବ। ସର୍କଲ ଅଫିସର ଏହାକୁ ଡେପୁଟି କମିଶନରଙ୍କ ନିକଟକୁ ପଠାଇବେ। ଏହାପରେ ଜିଲା କମିଶନର ସେହି ଆବେଦନକୁ ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗକୁ ପଠାଇବେ, ପରେ ଫାଇଲଟି ଆସାମ ପୋଲିସର ସ୍ପେଶାଲ ବ୍ରାଞ୍ଚକୁ ପଠାଯିବ। ପରେ ଫାଇଲଟି ଜିଲା କମିଶନରଙ୍କ ପାଖକୁ ଯିବ, ଯିଏ କି ଅନୁମତି ସମ୍ୱନ୍ଧରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।“ ଏପରି କାହିଁକି କରାଯାଉଛି, ତାହା ବୁଝିବା ପାଇଁ ଆମକୁ ଗୁଜରାଟରେ ଆରମ୍ଭ ହୋଇଥିବା ଏପରି ଆଇନର ମୂଳଦୁଆକୁ ଦେଖିବାକୁ ପଡ଼ିବ।
୧୯୬୦ ଦଶକରେ ଯେତେବେଳେ ଆମେରିକାରେ ଆଇନଗତ ଭାବେ ବର୍ଣ୍ଣବୈଷମ୍ୟ ଶେଷ ହେଲା, ସେତେବେଳେ ସରକାର ଫେୟାର ହାଉସିଂ ଆକ୍ଟ ଭଳି ଆଇନ ପ୍ରଣୟନ କଲେ, ଯାହା ବିଭିନ୍ନ ଜାତିର ଲୋକଙ୍କୁ ଏକତ୍ରିତ କରିବାକୁ ଚେଷ୍ଟା କରିଥିଲା। ଏହା ସମ୍ପତ୍ତି କିଣାବିକା କ୍ଷେତ୍ରରେ ହେଉଥିବା ଭେଦଭାବକୁ ରୋକିଥିଲା। ହେଲେ ସମଗ୍ର ଗୁଜରାଟର ସମସ୍ତ ପ୍ରମୁଖ ସହର ଏବଂ ଅନେକ ସହରାଞ୍ଚଳରେ ସରକାର ଏହାର ବିପରୀତ କରିଛନ୍ତି। ଡିଷ୍ଟର୍ୱଡ ଏରିଆଜ ଆକ୍ଟ ନାମକ ଏକ ଆଇନ ମାଧ୍ୟମରେ ମୁସଲମାନଙ୍କୁ ସେମାନଙ୍କ ଇଚ୍ଛା ବିରୋଧରେ ଘେଟୋ (ନିର୍ଦ୍ଦିିଷ୍ଟ ଗୋଷ୍ଠୀର ଲୋକଙ୍କୁ ବାଧ୍ୟତାମୂଳକ ଭାବେ ନିର୍ଦ୍ଦିଷ୍ଟ ପଡ଼ାରେ ରଖାଯିବା)ରେ ରହିବାକୁ ବାଧ୍ୟ କରାଯାଉଛି। ଆଇନ ଅନୁଯାୟୀ, ସହରର ନିର୍ଦ୍ଦିଷ୍ଟ ଅଞ୍ଚଳର ନାଗରିକଙ୍କୁ ନିଜ ସମ୍ପତ୍ତି ବିକ୍ରି କରିବା କିମ୍ୱା ଭଡ଼ାଟିଆ ପରିବର୍ତ୍ତନ କରିବା ପୂର୍ୱରୁ ସରକାରଙ୍କ ଅନୁମତି ନେବାକୁ ପଡ଼େ ଏବଂ ଏଥିରେ ଧର୍ମକୁ ଆଧାର କରି ଭେଦଭାବ କରାଯାଏ। ପ୍ରାରମ୍ଭରେ ଏହି ଆଇନ ଏକ ଅସ୍ଥାୟୀ ପଦକ୍ଷେପ ଥିଲା, ଯାହା କି ସାମ୍ପ୍ରଦାୟିକ ହିଂସା ସମୟରେ ଜୋରଜବରଦସ୍ତ ଉଚ୍ଛେଦର ଶିକାର ହେଉଥିବା କିମ୍ୱା ସମ୍ଭାବ୍ୟ ଚାପର ସମ୍ମୁଖୀନ ହେଉଥିବା ଅସହାୟ ଲୋକଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ ଥିଲା। କିନ୍ତୁ ଭାଜପା ଶାସିତ ଗୁଜରାଟରେ ଏହି ଆଇନକୁ ନବୀକରଣ କରାଯାଇ ଲାଗୁ କରାଯାଇଛି। ଏହି ଆଇନ ମୁସଲମାନ ଓ ହିନ୍ଦୁମାନଙ୍କୁ ସ୍ଥାୟୀ ଭାବରେ ପରସ୍ପରଠାରୁ ଅଲଗା କରି ରଖୁଛି। ଆଇନରେ କୁହାଯାଇଛି, ଯଦି ରାଜ୍ୟ ସରକାର ଅନୁଭବ କରନ୍ତି, ଏକ ଦଙ୍ଗା ଯୋଗୁ ଗୋଟିଏ ଅଞ୍ଚଳ ‘ଅଶାନ୍ତ’ ହୋଇପଡ଼ିଛି, ତେବେ ଏହି ଆଇନ ଅଧୀନରେ ନିର୍ଦ୍ଦିିଷ୍ଟ ସମୟ ପାଇଁ ସେହି ଅଞ୍ଚଳକୁ ଅଲଗା କରିପାରିବେ। ଯେତେବେଳେ ସରକାର ନିଶ୍ଚିତ ହେବେ ଯେ ସେହି ଅଞ୍ଚଳ ଆଉ ଅଶାନ୍ତ ନାହିଁ, ସେତେବେଳେ ବିଜ୍ଞପ୍ତିକୁ ପ୍ରତ୍ୟାହାର କରିପାରିବେ ଏବଂ ସମ୍ପତ୍ତି କିଣାବିକା ପୂର୍ୱପରି ନିୟନ୍ତ୍ରଣମୁକ୍ତ ହେବ। ଏହା ପରିବର୍ତ୍ତେ ଏଠାରେ ଯାହା ଘଟୁଛି ତାହା ହେଉଛି, ଆଇନ ଆସିବାର ପଞ୍ଚତିରିଶ ବର୍ଷ ଏବଂ ୨୦୦୨ ଦଙ୍ଗାର ଅଠର ବର୍ଷ ପରେ ସହରଗୁଡ଼ିକରେ କୌଣସି ହିଂସା ନ ଥିଲେ ମଧ୍ୟ ଏହି ଆଇନ ବଳବତ୍ତର ରହିଛି। ମୁସଲମାନଙ୍କ ଉପରେ ଅଧିକ କଟକଣା ଲଗାଇ ଏହି ଆଇନର ପରିସରକୁ ଆହୁରି ବୃଦ୍ଧି କରାଯାଉଛି। ୨୦୦୯ରେ, ଗୁଜରାଟରେ ତତ୍କାଳୀନ ମୋଦି ସରକାର ଏହି ଅଧିନିୟମରେ ସଂଶୋଧନ କରି ଜିଲାପାଳଙ୍କୁ ସ୍ୱତଃ ପ୍ରବୃତ୍ତ ଭାବେ ତଦନ୍ତ କରିବା ଏବଂ ଅଧିନିୟମ ଅନୁଯାୟୀ ସମ୍ପତ୍ତିକୁ ନିଜ ଦଖଲକୁ ନେବା ପାଇଁ କ୍ଷମତା ଦେଇଥିଲେ। ଜୁଲାଇ ୨୦୧୯ ରେ, ଆଉ ଏକ ପରିବର୍ତ୍ତନ କରାଯାଇଥିଲା। ପୂର୍ୱରୁ, ସମ୍ପତ୍ତି ବିକ୍ରେତାଙ୍କୁ ସେମାନଙ୍କ ସମ୍ପତ୍ତି ହସ୍ତାନ୍ତର କରିବା ପାଇଁ ଅନୁମତି ମାଗିବାକୁ ପଡ଼ୁଥିଲା ଏବଂ ସତ୍ୟପାଠ ମାଧ୍ୟମରେ ସେମାନଙ୍କର ସମ୍ମତି ପଞ୍ଜୀକୃତ କରିବାକୁ ହେଉଥିଲା। ହେଲେ ଏବେ ବିକ୍ରୟ ପୂରା ସମ୍ମତିରେ ହେଲେ ଏବଂ ମାଲିକଙ୍କୁ ଉପଯୁକ୍ତ ମୂଲ୍ୟ ଦିଆଯାଇଥିଲେ ମଧ୍ୟ କିଛି ଫରକ ନାହିଁ । ଯଦି ସମ୍ପତ୍ତି ହସ୍ତାନ୍ତର ଦ୍ୱାରା ‘ଜନସଂଖ୍ୟାଗତ ସନ୍ତୁଳନରେ ବିଭ୍ରାଟ’ କିମ୍ୱା ‘ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକଙ୍କର ଅନୁପଯୁକ୍ତ ଏକତ୍ରୀକରଣ’ କିମ୍ୱା ‘ଧ୍ରୁବୀକରଣର ସମ୍ଭାବନା’ ଥିବା କଥା ଜିଲାପାଳ ଅନୁଭବ କରନ୍ତି, ତେବେ ସେ ସମ୍ପତ୍ତି ବିକ୍ରୟକୁ ରୋକି ପାରିବେ। ଏହି ଆକଳନ ଆଧାରରେ ଜିଲାପାଳ ସମ୍ପତ୍ତିର ଆଇନଗତ ହସ୍ତାନ୍ତର ପାଇଁ ଆବେଦନକୁ ପ୍ରତ୍ୟାଖ୍ୟାନ କରିପାରିବେ । ବିନା ଅନୁମତିରେ ସମ୍ପତ୍ତି ହସ୍ତାନ୍ତର କରିବା ପାଇଁ ଜେଲଦଣ୍ଡକୁ ୬ ବର୍ଷକୁ ବୃଦ୍ଧି କରାଯାଇଛି (ଯେତେବେଳେ ଏହି ଆଇନ ପ୍ରଥମେ ପ୍ରଣୟନ କରାଯାଇଥିଲା, ସେତେବେଳେ ଏହା ୬ ମାସ ଥିଲା) । ଏହି ନୂତନ ଆଇନ ରାଜ୍ୟ ସରକାରଙ୍କୁ ସହରାଞ୍ଚଳଗୁଡ଼ିକର ଗୋଷ୍ଠୀଗତ ଭାବେ ରହୁଥିବା ଲୋକଙ୍କ ଉପରେ ନଜର ରଖିବା ପାଇଁ ଏକ ‘ନିରୀକ୍ଷଣ ଏବଂ ପରାମର୍ଶଦାତା କମିଟି’ ଗଠନ କରିବାକୁ ଅନୁମତି ଦେଇଛି । ସମ୍ପତ୍ତି ବିକ୍ରି ପାଇଁ ଅନୁମତି ଦିଆଯିବ କି ନାହିଁ, ସେ ବିଷୟରେ ଏହି କମିଟି ଜିଲାପାଳଙ୍କୁ ପରାମର୍ଶ ଦେବ।
୨୦୧୫ରେ ପ୍ରଥମେ ମହାରାଷ୍ଟ୍ର ଏବଂ ପରେ ହରିୟାଣାରେ ଗୋମାଂସ ରଖିବାକୁ ଅପରାଧ ବୋଲି ବିବେଚନା କରୁଥିବା ଆଇନ ଆସିଥିଲା। ୨୦୧୮ରୁ ଅନ୍ତଃଧର୍ମୀୟ ବିବାହ ଉପରେ କଟକଣା ଲଗାଯାଉଥିବା ଆଇନ ପ୍ରଥମେ ଉତ୍ତରାଖଣ୍ଡରୁ ଆରମ୍ଭ ହେଲା। ୨୦୧୯ରେ ମୁସଲିମ ଛାଡ଼ପତ୍ରକୁ ଆପରାଧିକ ମାମଲା ଭାବେ ଗଣାଯିବା ଆଇନ ଆସିଥିଲା ଏବଂ ସେହି ବର୍ଷ ନାଗରିକତ୍ୱ ସଂଶୋଧନ ଆଇନରେ ମୁସଲମାନଙ୍କୁ ବାଦ୍ ଦିଆଯାଇଥିଲା। ଆସାମ ଭଳି ଏହି ଦେଶରେ ସଂଖ୍ୟାଲଘୁଙ୍କୁ ହଇରାଣ କରିବାର ଆହୁରି ଅନେକ ନୂଆ ବାଟ ବାହାରିବ। ଆମେ ଏବେ ଯେଉଁ ପରିବର୍ତ୍ତନ ଦେଇ ଗତି କରୁଛୁ, ତାହାକୁ କେତେକେ ଏହାକୁ ‘ନୂଆ ଭାରତ’ କହୁଥିବା ବେଳେ ଆଉ କେତେକେ କହୁଛନ୍ତି ‘ଗୁଜରାଟ ମଡେଲ’। ଗୁଜରାଟ ମଡେଲ କ’ଣ ହାସଲ କରିବାକୁ ଚାହେଁ ଏବଂ ନୂଆ ଭାରତ ଶେଷରେ କିପରି ଦେଖାଯିବ? ଏଗୁଡ଼ିକ କେଉଁ ସିଦ୍ଧାନ୍ତ ଉପରେ ଆଧାରିତ, ତାହା ଆମକୁ ହୃଦୟଙ୍ଗମ କରିବାକୁ ପଡ଼ିବ। ତେବେ ପ୍ରଶ୍ନ ଉଠୁଛି-ଆମେ କ’ଣ ଏହାକୁ ସମର୍ଥନ କରୁଛୁ ଏବଂ ବିଶ୍ୱ ଆମକୁ ଏହିପରି ଦେଖୁ ବୋଲି ଚାହୁଁଛୁ କି?
Email:aakar.patel@gmail.com