Categories: ବାଣିଜ୍ୟ

ଏପ୍ରିଲ ୧ରୁ ନୂଆ ବୀମା ଦର

ନୂଆଦିଲ୍ଲୀ,୬।୩: କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ମନ୍ତ୍ରଣାଳୟ ଶନିବାର ବିଭିନ୍ନ ଯାନବାହନର ତୃତୀୟ ପକ୍ଷ (ଥାର୍ଡ ପାର୍ଟି) ବୀମା ଦର ବୃଦ୍ଧି ଲାଗି ପ୍ରସ୍ତାବ ରଖିଛନ୍ତି। ଏ ନେଇ ବିଧିବଦ୍ଧ ଭାବେ ଘୋଷଣା ସାଙ୍ଗକୁ ଏପ୍ରିଲ ୧ ରୁ କାର୍‌ ଓ ଦୁଇଚକିଆ ଯାନ ପାଇଁ ବାହନ ବୀମା ବାବଦ ବ୍ୟୟ ବୃଦ୍ଧି ହେବ ବୋଲି ଆଶଙ୍କା କରାଯାଉଛି। ଉକ୍ତ ପ୍ରସ୍ତାବର ସଂଶୋଧିତ ଦର ଅନୁସାରେ ଏ ପର୍ଯ୍ୟନ୍ତ ଘରୋଇ କାର୍‌ ପାଇଁ ଯେଉଁମାନେ ୨,୦୭୨ ଟଙ୍କାରେ ତୃତୀୟପକ୍ଷ ବୀମା ଦେଉଥିଲେ ବର୍ତ୍ତମାନ ଏହା ୨,୦୯୪ ଟଙ୍କା ଦେବାକୁ ପଡିବ। ସେହିପରି ୧ହଜାର ସିସିରୁ ୧୫ଶହ ସିସିର କାର୍‌ ଲାଗି ଏପର୍ଯ୍ୟନ୍ତ ପୈଠ କରାଯାଉଥିବା ୩,୨୨୧ଟଙ୍କା ବଦଳରେ ୩,୪୧୬ ଟଙ୍କା ଗାଡ଼ି ମାଲିକଙ୍କୁ ପୈଠ କରିବାକୁ ହେବ। ସେହିଭଳି ୧୫ଶହ ସିସିରୁ ଊର୍ଦ୍ଧ୍ୱ ବାହନର ତୃତୀୟ ପକ୍ଷ ବୀମା ଲାଗି ୭,୮୯୦ ଟଙ୍କା ବଦଳରେ ୭,୮୯୭ ଟଙ୍କା ପୈଠ କରିବାକୁ ପଡିବ। ଅପରପକ୍ଷରେ ୧୫୦ ସିସିରୁ ଅଧିକ ଓ ୩୫୦ ସିସିରୁ କମ୍‌ ଦୁଇଚକିଆ ଯାନ ଲାଗି ଏବେ ବାର୍ଷିକ ବୀମା ପ୍ରିମିୟମ ୧,୩୬୬ ଟଙ୍କା ପୈଠ କରିବାକୁ ହେବ। ୩୫୦ସିସିରୁ ଅଧିକ ଦୁଇଚକିଆ ଯାନ ଲାଗି ୨,୮୦୪ ଟଙ୍କା ପୈଠ କରିବାକୁ ହେବ। ଏହି ସଂଶୋଧିତ ବୀମା ପ୍ରିମିୟମ ୨୦୨୨ ଏପ୍ରିଲ ୧ରୁ ଲାଗୁ ହେବ ବୋଲି ସୂଚନା ମିଳିଛି। କୋଭିଡ୍‌ ମହାମାରୀ ଲାଗି ବୀମା ପ୍ରିମିୟମ ବୃଦ୍ଧି ପ୍ରସ୍ତାବ ୨ ବର୍ଷ ପର୍ଯ୍ୟନ୍ତ ସ୍ଥଗିତ ଥିଲା।

Share