ଝରିଗାଁ,୫ା୩(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ଥାନା ପରିସରଠାରେ ଥାନା ଅଧିକାରୀ ପ୍ରଦୀପ କୁମାର ଶବରଙ୍କ ସଭାପତିତ୍ୱରେ ନୂତନ ଆପରାଧିକ ଆଇନ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଆଇନଜୀବୀ ସୁବାସ ପଟ୍ଟନାୟକ, ସଞ୍ଜୟ କୁମାର ନାୟକ,ବରିଷ୍ଠ ନାଗରିକ, ଯୁବଗୋଷ୍ଠୀ, ଥାନା ଏସ୍ଆଇ କେ. ଲକ୍ଷ୍ମୀନାରାୟଣ ଦୋରା, ଏଏସ୍ଆଇ କେଦାରନାଥ ରାଉତ, ବେଦବ୍ୟାସ ବଞ୍ଜାରା, ହାବିଲଦାର ମୁରଲୀଧର ବିଶୋଇ ପ୍ରମୁଖ ଉପସ୍ଥିତ ରହିଥିଲେ। ଭାରତୀୟ ସଂସଦ ତିନୋଟି ଐତିହାସିକ ଆଇନ ଯଥା ଭାରତୀୟ ଦଣ୍ଡବିଧି ସଂହିତା, ୧୮୬୦, କ୍ରିମିନାଲ ପ୍ରୋସିଜର କୋଡ, ୧୯୭୩ ଏବଂ ଭାରତୀୟ ପ୍ରମାଣ ଆଇନ, ୧୮୭୨କୁ ଯଥାକ୍ରମେ ଭାରତୀୟ ନ୍ୟାୟ ସଂହିତା, ୨୦୨୩, ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ ଏବଂ ଭାରତୀୟ ସାକ୍ଷ ସଂହିତା, ୨୦୨୩ ସହିତ ବଦଳାଇ ଆପରାଧିକ ନ୍ୟାୟ ବ୍ୟବସ୍ଥାରେ ଏକ ପରିବର୍ତ୍ତନମୂଳକ ପଦକ୍ଷେପ ଆରମ୍ଭ କରିଛି। ଭାରତୀୟ ନ୍ୟାୟ ମୂଲ୍ୟବୋଧ ଉପରେ ଆଧାରିତ ଏହି ନୂତନ ଆଇନ ଭାରତୀୟ ନ୍ୟାୟ ପଦ୍ଧିକୁ ପ୍ରତିଫଳିତ କରି ଦଣ୍ଡମୂଳକ ଦୃଷ୍ଟିକୋଣରୁ ନ୍ୟାୟଭିତ୍ତିକ ଆଭିମୁଖ୍ୟ ଆଡ଼କୁ ପରିବର୍ତ୍ତନକୁ ସୂଚାଇଥାଏ । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ଏକ ଆପରାଧିକ ନ୍ୟାୟ ବ୍ୟବସ୍ଥା ସୃଷ୍ଟି କରିବା ଯାହା କେବଳ ନାଗରିକଙ୍କ ଅଧିକାରକୁ ସୁରକ୍ଷିତ କରେ ନାହିଁ ବରଂ ଆଇନ ବ୍ୟବସ୍ଥାକୁ ମଧ୍ୟ ବଜାୟ ରଖେ, ସମସ୍ତଙ୍କ ପାଇଁ ସୁଲଭ ଓ ତ୍ୱରିତ ନ୍ୟାୟ ସୁନିଶ୍ଚିତ କରେ। ଏହି ସଂସ୍କାର ଭାରତରେ ଏକ ସମାନ, ଆଧୁନିକ ଏବଂ ନ୍ୟାୟସମ୍ପନ୍ନ ଆଇନଗତ ଢାଞ୍ଚା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ସୂଚିତ କରୁଛି ବୋଲି ଥାନା ଅଧିକାରୀ ପ୍ରକାଶ କରିଥିଲେ।


