ନୂଆ ପ୍ରାର୍ଥୀ, ତୁମୁଳ ପ୍ରତିଦ୍ୱନ୍ଦ୍ୱିତା

ଢେଙ୍କାନାଳ ଅଫିସ, ୯।୨: ଢେଙ୍କାନାଳ ଜିଲା ରାଜନୀତିର ଅନ୍ୟତମ ପାଓ୍ବାର ହାଉସ୍‌ ଭାବେ ପରିଚିତ ଗଁଦିଆ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ପ୍ରଚାର ଜୋର୍‌ଦାର କରିଛନ୍ତି। ଦୀର୍ଘଦିନ ଧରି ବିଜେଡିର ଗଡ଼ ଭାବେ ରହି ଆସିଥିବା ଏହି ବ୍ଲକର ୨ନଂ. ଜିଲା ପରିଷଦ ଜୋନ୍‌କୁ ନେଇ ଏବେ ନିର୍ବାଚନମଣ୍ଡଳୀ ରାଜନୀତିରେ ଆରମ୍ଭ ହୋଇଛି ଚର୍ଚ୍ଚା। କାରଣ ଚଳିତ ନିର୍ବାଚନରେ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ଏହି ଆସନ ସଂରକ୍ଷିତ ଥିବା ବେଳେ ପ୍ରମୁଖ ରାଜନୈତିକ ଦଳ ନୂଆ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଛନ୍ତି। ସମସ୍ତେ ବିକାଶକୁ ପ୍ରମୁଖ ପ୍ରସଙ୍ଗ କରିଥିବାବେଳେ ପ୍ରତିଦ୍ୱନ୍ଦ୍ୱିତା ଆହୁରି ତୀବ୍ର ହେବ ବୋଲି ଆଲୋଚନା ହେଉଛି।
ଏହି ଜିଲା ପରିଷଦ ଜୋନ୍‌ର ମୋଟ ମତଦାତା ସଂଖ୍ୟା ୩୩ ହଜାର ୧୫୬। ତନ୍ମଧ୍ୟରୁ ବିଧାରପୁର ପଞ୍ଚାୟତରେ ୪,୭୭୯, ଗୁଣ୍ଡୁରାପଶି ପଞ୍ଚାୟତରେ ୨,୬୦୯, କାବେରା ପଞ୍ଚାୟତରେ ୬,୩୨୪, ପୋରୁହଖୋଜ ପଞ୍ଚାୟତରେ ୪,୧୯୬, ସନ୍ଥପୁର ପଞ୍ଚାୟତରେ ୪,୦୨୨, ନେଉଳପୋଇ ପଞ୍ଚାୟତରେ ୩,୭୮୧, ରାଇତଳା ପଞ୍ଚାୟତରେ ୨,୮୦୯ ଏବଂ ଦେଓଗଁା ପଞ୍ଚାୟତର ୪,୬୩୬ ଭୋଟର ଅଛନ୍ତି। ୨୦୧୭ ନିର୍ବାଚନରେ ଏହି ଜୋନ୍‌ରୁ ବିଜେଡି ପ୍ରାର୍ଥୀ ଚିନ୍ମୟୀ ମହାନ୍ତି ବିଜୟୀ ହୋଇଥିଲେ। ଚଳିତ ନିର୍ବାଚନରେ ଏଠାରେ ତ୍ରିମୁଖୀ ଲଢ଼େଇ ହେଉଛି। ବିଜେଡି ମମତା ମଞ୍ଜରୀ ବେହେରା, ଭାଜପା ନିୟତି ଭୋଇ ଏବଂ କଂଗ୍ରେସ ଶୁଭଲକ୍ଷ୍ମୀ ଭୋଇଙ୍କୁ ପ୍ରାର୍ଥୀ କରିଛି। ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ଏହି ଆସନ ସଂରକ୍ଷିତ ରହିଥିବାରୁ ସବୁ ଦଳ ଦଳିତ କାର୍ଡ ଖେଳୁଛନ୍ତି। ବିକାଶକୁ ମୁଖ୍ୟ ଏଜେଣ୍ଡା କରିବା ସହିତ ଆସନ ହାତେଇବାକୁ ରଣନୀତି ମଧ୍ୟ ପ୍ରସ୍ତୁତ କରୁଛନ୍ତି। ସେହିପରି ମହିଳା ଭୋଟ ଉପରେ ମଧ୍ୟ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଭର କରୁଛି। ତେଣୁ ତଦନୁଯାୟୀ ସବୁ ରାଜନୈତିକ ଦଳ ପ୍ରଚାର ଅଭିଯାନ ଚଳାଇଛନ୍ତି।
ଏହି ଆସନ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାବେଳେ ପୁର୍ନବାର ଏହାକୁ ଦଖଲ କରିବା ପାଇଁ ଆପ୍ରାଣ ଉଦ୍ୟମ ଜାରି ରହିଛି ଶାସକ ଦଳ। ସେହିପରି ଭାଜପା ଗତଥରର ତ୍ରୁଟି ସୁଧାରି ଭୋଟରଙ୍କ ନିକଟତର ହେବାକୁ ପ୍ରୟାସ ଚଳାଇଛି। ଅନୁରୂପ ଭାବେ କଂଗ୍ରେସ ପ୍ରାର୍ଥୀ ମଧ୍ୟ ଏହି ଜୋନ୍‌ ଜିତିବାକୁ ଆଶାବାଦୀ ଅଛନ୍ତି। ଏହି ଜୋନ୍‌ରେ ପ୍ରଥମ ପର୍ଯ୍ୟାୟରେ ୧୬ ତାରିଖରେ ମତଦାନ ହେଉଥିବାବେଳେ ସବୁଦଳ ଜିଲାସ୍ତରୀୟ ନେତୃମଣ୍ଡଳୀଙ୍କୁ ନେଇ ପ୍ରଚାର ଜୋର୍‌ଦାର କରିଛନ୍ତି।