Categories: ଜାତୀୟ

ନେପାଳ ଯୁବକଙ୍କୁ ଲଣ୍ଡା କରାଇ ମୁଣ୍ଡରେ ଲେଖିଲେ ‘ଜୟ ଶ୍ରୀରାମ’

କାଠମାଣ୍ଡୁ,୧୭।୭:ନିଜ ଗାଦିକୁ ନେଇ ଲାଗି ରହିଥିବା ଅସ୍ଥିରତାକୁ ଘୋଡ଼ାଇବା ପାଇଁ ଭାରତ ବିରୋଧରେ ଅଯଥା ବିଷ ଓଗାଳୁଛନ୍ତି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି। ସେ କହିଛନ୍ତି, ପ୍ରଭୁ ଶ୍ରୀରାମ ନେପାଳରେ ଜନ୍ମ ହୋଇଛନ୍ତି। ଭାରତରେ ନକଲି ଅଯୋଧ୍ୟା ନିର୍ମାଣ ହୋଇଛି। ଅସଲରେ ଅଯୋଧ୍ୟା ନେପାଳରେ ରହିଛି।ଓଲିଙ୍କ ଏଭଳି ମନ୍ତବ୍ୟ ପରେ ବାରାଣସୀରେ ରହୁଥିବା ଜଣେ ନେପାଳ ଯୁବକଙ୍କୁ ଲଣ୍ଡା କରାଇ ତାଙ୍କ ମୁଣ୍ଡରେ ଜୟ ଶ୍ରୀରାମ ଲେଖିଦେଇଛନ୍ତି ଏକ ବିଶ୍ୱହିନ୍ଦୁ ସେନା। କେବଳ ଏତିକି ନୁହେଁ ଏହି ସେନା ସମ୍ପୃକ୍ତ ଯୁବକଙ୍କୁ ନେପାଳ ପ୍ରଧାନମନ୍ତ୍ରୀଙ୍କ ନାଁରେ ନାରାବାଜି ଦେବାକୁ କହିଥିଲେ। ଏହାର ଏକ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଶେୟାର କରିଥିଲେ। ଏହି ଭିଡିଓ ଭାଇରାଲ ହେବା ପରେ ପୋଲିସ ହିନ୍ଦୁବାଦୀ ସଂଗଠନର ଅଧ୍ୟକ୍ଷ ଏବଂ ଏଥିରେ ସାମିଲ ଥିବା ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି। ସୂଚନାଯୋଗ୍ୟ, ଓଲି ଏବେ ତାଙ୍କ ଦଳ ଭିତରୁ କୋଣଠେସା ହୋଇଛନ୍ତି। ଅଧିକାଂଶ ଏମ୍‌ପି ଏବେ ତାଙ୍କ ବିରୋଧରେ। ରାଜନୀତିକ ଗାଦି ବଞ୍ଚାଇବା ପାଇଁ ସେ ଚାଇନା ଏବଂ ପାକିସ୍ତାନର ଶରଣରେ ପଶିଛନ୍ତି। ଏମିତିକି କାଠମାଣ୍ଡୁରେ ଥିବା ଚୀନର ମହିଳା ଦୂତାବାସ ଅଧିକାରୀଙ୍କ ହନିଟ୍ରାପର ଶିକାର ଓଲି ସରକାର ହୋଇଥିବା ଚର୍ଚ୍ଚା ହେଉଛି।

Share