Categories: ଖେଳ

କ୍ବାର୍ଟର ଫାଇନାଲରେ ନେଦରଲାଣ୍ଡ୍ସ

ଭୁବନେଶ୍ୱର,୨୬।୧୧(କ୍ରୀଡ଼ା ପ୍ରତିନିଧି)-
କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ ଓଡ଼ିଶା ହକି ପୁରୁଷ ଜୁନିୟର ବିଶ୍ୱକପ୍‌ର କ୍ବାର୍ଟର ଫାଇନାଲରେ ନେଦରଲାଣ୍ଡ୍ସ ପ୍ରବେଶ କରିଛି। ଶୁକ୍ରବାର ଅନୁଷ୍ଠିତ ପୁଲ୍‌ ‘ସି’ର ଏକ ମ୍ୟାଚରେ ଏହି ଦଳ ସ୍ପେନ୍‌କୁ ୩-୨ ଗୋଲରେ ପରାସ୍ତ କରିଛି। ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ସମ୍ପାଦକ ନିଲେନ କୁମାର ଖେଳାଳିଙ୍କ ସହ ପରିଚିତ ହେବା ପରେ ମ୍ୟାଚ ଆରମ୍ଭ ହୋଇଥିଲା। ଶେଷରେ ତାରକା ଆଥଲେଟ୍‌ ଅମିୟ ମଲିକ ଅତିଥିଭାବେ ଯୋଗଦେଇ ନେଦରଲାଣ୍ଡ୍ସର ଲ୍ୟୁକ ଡୋମେରଶୁଇଜେନଙ୍କୁ ପ୍ଲେୟର ଅଫ୍‌ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ। ଏହି ମ୍ୟାଚରେ ନେଦରଲାଣ୍ଡ୍ସ ୨ ମ୍ୟାଚରୁ ୨ ବିଜୟ ସହ ୬ ପଏଣ୍ଟ ପାଇଛି। ୱାଇଲ୍ଡ କାର୍ଡ ମାଧ୍ୟମରେ ଏଣ୍ଟ୍ରି ପାଇଥିବା ଆମେରିକାର ଆଶା ଡବଲ ପରାଜୟ ସହ ଶେଷ ହୋଇଛି। ୨୮ ତାରିଖରେ ହେବାକୁଥିବା ସ୍ପେନ୍‌-ଦକ୍ଷିଣ କୋରିଆ ମ୍ୟାଚର ବିଜେତା ଏହି ପୁଲ୍‌ରୁ ଦ୍ୱିିତୀୟ ଦଳ ଭାବେ କ୍ବାର୍ଟର ଫାଇନାଲରେ ପ୍ରବେଶ କରିବ।

ମ୍ୟାଚ୍‌ର ୯ମ ମିନିଟରେ ଖୋଲିଥିଲା ନେଦରଲାଣ୍ଡ୍ସ ଗୋଲ ଖାତା। ସ୍ପେନ୍‌ ଖେଳାଳିଙ୍କ ବିପଜ୍ଜନକ ଖେଳ ଯୋଗୁ ନେଦରଲାଣ୍ଡ୍ସକୁ ପେନାଲ୍ଟି ଷ୍ଟ୍ରୋକ୍‌ ମିଳିଥିଲା। ଦଳର ୪ ନମ୍ବର ଜର୍ସି ପରିହିତ ଖେଳାଳି ଶେଲଡନ ସ୍କୁଟେନ ଏହାକୁ ଗୋଲରେ ପରିଣତ କରିବାରେ କୌଣସି ଭୁଲ କରି ନ ଥିଲେ। ୨୭ତମ ମିନିଟରେ ଗୁସ୍‌ ଜାନସେନ ଏକ ଫିଲ୍ଡ ଗୋଲ ଦେଇ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଦଳକୁ ୨-୦ରେ ଅଗ୍ରଣୀ କରାଇଥିଲେ। ତୃତୀୟ କ୍ବାର୍ଟରରେ କିନ୍ତୁ ସ୍ପେନ୍‌ ଦମ୍‌ଦାର ପ୍ରଦର୍ଶନ କରି ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା। ୩୮ତମ ମିନିଟରେ ବୋର୍ଜା ଲାକାଲେ ଫିଲ୍ଡ ଗୋଲ ଏବଂ ୪୫ତମ ମିନିଟରେ ଦଳକୁ ମିିଳିଥିବା ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରି ପାଉ କୁନିଲ ମ୍ୟାଚକୁ ୨-୨ ସ୍ଥିତିକୁ ନେଇ ଆସିଥିଲେ। ଫଳରେ ୪ର୍ଥ ତଥା ଅନ୍ତିମ କ୍ବାର୍ଟର ସ୍ବାଭାବିକଭାବେ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା। ମ୍ୟାଚଟି ଡ୍ର ଆଡ଼କୁ ଯାଉଥିବାବେଳେ ୫୯ତମ ମିନିଟରେ ନେଦରଲାଣ୍ଡ୍ସ ଏକ ପେନାଲ୍ଟି କର୍ନର ସୁଯୋଗ ସୃଷ୍ଟି କରିଥିଲା। ଦଳର ୧୪ ନମ୍ବର ଖେଳାଳି ମାଇଲ୍ସ ବୁକେନ୍ସ ଏହାକୁ ଗୋଲରେ ପରିଣତ କରି ଦଳୀୟ ଶିବିରରେ ଖୁସିର ଲହରି ଖେଳାଇ ଦେଇଥିଲେ।

Share