Categories: ଖେଳ

ନୟାଗଡ଼, ବାଲେଶ୍ୱର ବିଜୟୀ

ଭୁବନେଶ୍ୱର, ୨୮।୪(କ୍ରୀଡ଼ା ପ୍ରତିନିଧି): ସିନିୟର ପୁରୁଷ ଆନ୍ତଃ ଜିଲା ଫୁଟ୍‌ବଲ ଚାମ୍ପିୟନଶିପ୍‌ ସାହାଣୀ କପ୍‌ରେ ଗୁରୁବାର ୪ଟି ମ୍ୟାଚ୍‌ ଅନୁଷ୍ଠିତ ହୋଇଛି। ଏଥିରେ ନୟାଗଡ଼ ଓ ବାଲେଶ୍ୱର ଦଳ ବିଜୟୀ ହୋଇଥିବା ବେଳେ ସୁନ୍ଦରଗଡ଼-ଭୁବନେଶ୍ୱର ଓ ଜଗତ୍‌ସିଂହପୁର-ବୌଦ୍ଧ ମ୍ୟାଚ୍‌ ଡ୍ର ରହିଛି। କଟକର ବିଡ଼ାନାସୀ ପଡ଼ିଆରେ ନୟାଗଡ଼ ୨-୦ ଗୋଲରେ ପୁରୀକୁ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ପପୁନି ବେହେରା ୧୨ ଓ ୩୫ତମ ମିନିଟରେ ୨ଟି ଯାକ ଗୋଲ ଦେଇଥିଲେ। ଚୌଦ୍ୱାର ଓଟିଏମ୍‌ ଗ୍ରାଉଣ୍ଡରେ ବାଲେଶ୍ୱର ୨-୧ ଗୋଲରେ ଅନୁଗୋଳକୁ ହରାଇଛି। ବାଲେଶ୍ୱର ପକ୍ଷରୁ ସଉନା ହାଁସ୍‌ଦା ୪୫+୧ ଓ ଧନେଶ୍ୱର ହେମ୍ବ୍ରମ୍‌ ୭୯ତମ ମିନିଟ୍‌ ଏବଂ ଅନୁଗୋଳର ଜିତେନ୍ଦ୍ର ବିରୁଆ ୩୧ତମ ମିନିଟ୍‌ରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ସ୍ଥାନୀୟ କ୍ୟାପିଟାଲ ଫୁଟ୍‌ବଲ ଆରେନାରେ ସୁନ୍ଦରଗଡ଼-ଭୁବନେଶ୍ୱର ମ୍ୟାଚ୍‌ ୩-୩ ଗୋଲରେ ବରାବର ରହିଛି। ସୁନ୍ଦରଗଡ଼ ପକ୍ଷରୁ ଆକାଶ ବେକ୍‌ ୬୨ ଓ ୬୬ତମ ମିନିଟରେ ୨ଟି ଏବଂ ସ୍ବାଧୀନ ବଢ଼େଇ ୧୭ତମ ମିନିଟରେ ଗୋଟିଏ ଗୋଲ ଦେଇଥିଲେ। ସେହିପରି ଭୁବନେଶ୍ୱର ପକ୍ଷରୁ ପପୁ ମାଝି ୨୯ ଓ ୪୧ତମ ମିନିଟରେ ୨ଟି ଏବଂ ଭାବଗ୍ରାହୀ ପଢ଼ିହାରୀ ୬୯ତମ ମିନିଟରେ ଗୋଟିଏ ଗୋଲ ସ୍କୋର କରିଥିଲେ। ୭ମ ବାଟାଲିୟନ ଗ୍ରାଉଣ୍ଡରେ ଜଗତ୍‌ସିଂହପୁର-ବୌଦ୍ଧ ମ୍ୟାଚ ୨-୨ ଗୋଲରେ ଡ୍ର ରହିଛି। ଜଗତ୍‌ସିଂହପୁର ପକ୍ଷରୁ ଯଦୁନାଥ ହାଁସଦା ଓ ଚତୁରାନନ୍ଦ ମାରାଣ୍ଡି ଏବଂ ବୌଦ୍ଧ ପକ୍ଷରୁ ଜିତେନ୍ଦ୍ର ଦେହୁରୀ ଓ ଅନୁରାଗ ସାହୁ ଗୋଲ ସ୍କୋର କରିଥିଲେ।

Share