Categories: ଖେଳ

ସେପ୍ଟେମ୍ବର ୧ରୁ ଜାତୀୟ ରେସ୍‌ଲିଂ କ୍ୟାମ୍ପ୍‌

ନୂଆଦିଲ୍ଲୀ, ୧୭ା୮ (ପି.ଟି.)-ଟୋକିଓ ଅଲିମ୍ପିକ୍ସ ପାଇଁ ଜାତୀୟ ରେସ୍‌ଲିଂ କ୍ୟାମ୍ପ ହେବ ବୋଲି ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ(ସାଇ) ତରଫରୁ ଘୋଷଣା କରାଯାଇଛି। ପୁରୁଷ କୁସ୍ତି ଯୋଦ୍ଧାଙ୍କ କ୍ୟାମ୍ପ୍‌ ସାଇ ସୋନେପତଠାରେ ହେବାକୁଥିବା ବେଳେ ମହିଳାମାନଙ୍କର ଲକ୍ଷ୍ନୌଠାରେ ହେବ। ଏହା ଏକମାସ ଧରି ଚାଲିବ। ଯେଉଁ କୁସ୍ତି ଯୋଦ୍ଧାମାନେ ଅଲିମ୍ପିକ ଯୋଗ୍ୟତା ହାସଲ କରିଛନ୍ତି ଅବା ଯୋଗ୍ୟତା ଅର୍ଜନ କରିବା ଲକ୍ଷ୍ୟରେ ରହିଛନ୍ତି ସେମାନେ ଅନ୍‌ ଫିଲ୍ଡ ଟ୍ରେନିଂ ଆରମ୍ଭ କରିପାରିବେ। ଉଭୟ କ୍ୟାମ୍ପ ସେପ୍ଟେମ୍ବର ୩୦ରେ ଶେଷ ହେବ। ପୁରୁଷ କ୍ୟାମ୍ପରେ ୮ଟି ଓଜନ କାଟେଗୋରିରେ ମୋଟ ୨୬ଜଣ ରେସ୍‌ଲର ଅଂଶଗ୍ରହଣ କରିବେ। ୫ଜଣ ଫ୍ରିଷ୍ଟାଇଲ (୫୭, ୬୫, ୭୪, ୮୬, ୧୨୫ କେଜି) ଏବଂ ୩ ଗ୍ରୀକୋ ରୋମାନ (୬୦, ୭୭, ୮୭କେଜି) ରେସ୍‌ଲରଙ୍କ ସମେତ ୬ ସପୋର୍ଟ ଷ୍ଟାଫ୍‌ ଏଥିରେ ଯୋଗଦେବେ। ସେହିପରି ମହିଳା କ୍ୟାମ୍ପରେ ୪ ସପୋର୍ଟ ଷ୍ଟାଫ୍‌ ବ୍ୟତୀତ ୫ ଓଜନ ଶ୍ରେଶୀ (୫୦, ୫୩, ୫୭, ୬୨, ୬୮କେଜି)ର ୧୫ ରେସ୍‌ଲର ଭାଗ ନେବେ। କ୍ୟାମ୍ପରେ ଅଂଶଗ୍ରହଣ କରିବାକୁ ଥିବା ବିଶିଷ୍ଟ ରେସ୍‌ଲରମାନଙ୍କ ମଧ୍ୟରେ ରହିଛନ୍ତି ରବି କୁମାର, ବଜରଙ୍ଗ ପୁନିଆ, ନରସିଂହ ଯାଦବ, ଦୀପକ ପୁନିଆ, ସୁମିତ ଜ୍ଞାନେନ୍ଦର, ସଜନ, ସୁନୀଲ କୁମାର, ନିର୍ମଳା ଦେବୀ, ଭିନେଶ ଫୋଗତ, ପୂଜା ଧଣ୍ଡା, ସାକ୍ଷୀ ମଲିକ ଓ ଦିବ୍ୟା କିରନ। ସୋନେପତ ଓ ଲକ୍ଷ୍ନୌସ୍ଥିତ ସାଇରେ ଯୋଗଦାନ କରିବାକୁ ଥିବା ସମସ୍ତ ଆଥଲେଟ, କୋଚ୍‌ ଓ ସପୋର୍ଟ ଷ୍ଟାଫ୍‌ଙ୍କ ପହଞ୍ଚତ୍ବା ମାତ୍ରେ କୋଭିଡ୍‌-୧୯ ଟେଷ୍ଟ ବାଧ୍ୟତାମୂଳକ। ସେମାନଙ୍କୁ ରାଜ୍ୟ ସରକାରଙ୍କ ଗାଇଡ୍‌ ଲାଇନ୍‌ ଏବଂ ସାଇ ଏସ୍‌ଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର)କୁ କଡାକଡ଼ି ଭାବେ ମାନି ଚଳିବାକୁ ହେବ। ୨୦୨୧କୁ ଘୁଞ୍ଚାଇ ଦିଆଯାଇଥିବା ଅଲିମ୍ପିକ୍ସ ପାଇଁ ବର୍ତ୍ତମାନ ସୁଦ୍ଧା ୪ଜଣ ରେସ୍‌ଲର ଭିନେଶ (ମହିଳା ୫୩କେଜି), ରବି କୁମାର ଡାହିୟା (ପୁରୁଷ ୫୭କେଜି ଫ୍ରିଷ୍ଟାଇଳ) ବଜରଙ୍ଗ (ପୁରୁଷ ୬୫କେଜି ଫ୍ରିଷ୍ଟାଇଲ) ଏବଂ ଦୀପକ (ପୁରୁଷ ୮୬କେଜି ଫ୍ରିଷ୍ଟାଇଲ) ଟୋକିଓ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି।

Share