ଗୋଣ୍ଡା,୧୦ା୫: ଜାତୀୟ ଓପନ ର଼୍ୟାଙ୍କିଙ୍ଗ୍ ଟୁର୍ନାମେଣ୍ଟ ରବିବାର ଆରମ୍ଭ ହୋଇଯାଇଛି। ଜାତୀୟ କ୍ୟାମ୍ପ୍ସ ଏବଂ ଭବିଷ୍ୟତରେ ହେବାକୁ ଥିବା ଅନ୍ତର୍ଜାତୀୟ ପ୍ରତିଯୋଗିତା ଚୟନ ପାଇଁ ଜାତୀୟ ଓପନ ର଼୍ୟାଙ୍କିଙ୍ଗ୍ ଏକ ଗୁରୁତ୍ୱପୂର୍ଣ୍ଣ ଘରୋଇ ଇଭେଣ୍ଟ। ଏହି ଇଭେଣ୍ଟ ଆରମ୍ଭରୁ ବିବାଦ ଦେଖା ଦେଇଛି। । ଟୁର୍ନାମେଣ୍ଟରେ ୧୪୦୦ ରେସଲର ଭାଗ ନେଇଥିବା ବେଳେ ପ୍ରଥମ ଦିନରେ ଭେନ୍ୟୁରେ ବ୍ୟବହୃତ ସିରିଞ୍ଜ ମିଳିଥିବା ରେସଲିଂ ଫେଡେରେଶନ ଅଫ୍ ଇଣ୍ଡିଆ (ଡବ୍ଲ୍ୟୁଏଫ୍ଆଇ) ସଭାପତି ସଞ୍ଜୟ ସିଂ ସ୍ପଷ୍ଟ କରିଛନ୍ତି। ଏହି ୩ ଦିନିଆ ଟୁର୍ନାମେଣ୍ଟରେ ଭାଗ ନେଇଥିବା ରେସଲରଙ୍କ ମଧ୍ୟରେ ୮୦ ପ୍ରତିଶତ ହରିୟାଣା ରେସଲର ରହିଛନ୍ତି, ଯାହାକି ଦେଶର ପାରମ୍ପରିକ ରେସଲିଂ ପାଓ୍ବାରହାଉସ।
ତେବେ ୨୦୨୧ରେ ଡବ୍ଲ୍ୟୁଏଫ୍ଆଇ ପକ୍ଷରୁ କୌଣସି ରାଜ୍ୟରୁ ଗୋଟିଏରୁ ଊର୍ଦ୍ଧ୍ୱ ଦଳକୁ ଭାଗ ନେବାକୁ ଅନୁମତି ଦିଆଯିବ ନାହିଁ ବୋଲି ନିୟମରେ ପରିବର୍ତ୍ତନ କରାଯାଇଥିଲା। ନିର୍ଦ୍ଦିଷ୍ଟ ଭାବେ ହରିୟାଣାକୁ ଟାର୍ଗେଟ କରିବା ପାଇଁ ଏହି ନିୟମ ପ୍ରସ୍ତୁତ କରାଯାଇଥିବା ବିଶ୍ୱାସ କରାଯାଏ। କାରଣ ହରିୟାଣାରେ ଅଧିକ ରେସଲର ରହିଥିବାରୁ ପ୍ରତ୍ୟେକ ଜାତୀୟ ପ୍ରତିଯୋଗିତା ଲାଗି ଦୁଇଟି ଯଥା ଏ ଓ ବି’ ଦଳ ଚୟନ କରାଯାଏ। ହରିୟାଣା ରାଜ୍ୟ ଆସୋସିଏଶନ ପକ୍ଷରୁ ଏହି ନିୟମକୁ ସମାଲୋଚନା କରାଯିବା ସହ ଏହା ଦ୍ୱାରା ସେମାନଙ୍କୁ ଟାଗେର୍ଟ କରାଯାଉଥିବା ଦାବି କରାଯାଇଥିଲା।
ଏ ସମ୍ପର୍କରେ ସଞ୍ଜୟ ସିଂ କହିଛନ୍ତି, ହରିୟାଣା ଭାରତୀୟ ରେସଲିଂର ମେରୁଦଣ୍ଡ। ଲଗାତର ଅନ୍ତର୍ଜାତୀୟସ୍ତରର ରେସଲର ବାହାରୁ ଥିବା ରାଜ୍ୟରୁ ଅଧିକରୁ ଅଧିକ ସଂଖ୍ୟାରେ ରେସଲର ଭାଗ ନିଅନ୍ତୁ ଆମେ ଚାହୁଁ। ଦୀର୍ଘ ବର୍ଷ ହେଲା ଭାରତୀୟ ରେସଲିଂରେ ହରିୟାଣାର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଆମେ ଚାହୁଁ, ସେଠାରେ ଏବଂ ପୂରା ଦେଶରେ ରେସଲିଂ ଆହୁରି ଶକ୍ତିଶାଳୀ ହେଉ। ଟୁର୍ନାମେଣ୍ଟରେ ଭାଗ ନେଉଥିବା ରେସଲରଙ୍କ ସଂଖ୍ୟା ଦର୍ଶାଉଛି ଯେ, ଡବ୍ଲ୍ୟୁଏଫ୍ଆଇ ହରିୟାଣା ବିରୋଧୀ ନୁହେଁ। ଯଦି କୌଣସି ଭେଦଭାବ ହୋଇଥାନ୍ତା, ତେବେ ହରିୟାଣାରୁ ଏତେ ସଂଖ୍ୟାରେ ରେସଲର ଭାଗ ନେଇପାରି ନ ଥାନ୍ତେ। ଶେଷରେ ହରିୟାଣା ରେସଲର ଜିତିବେ ଏବଂ ସେମାନଙ୍କୁ ଜାତୀୟ କ୍ୟାମ୍ପରେ ଭଲ ସୁଯୋଗ ମିଳିବ, ଯାହାକି ସେମାନଙ୍କ ପାଇଁ ବର୍ଷ ତମାମ ଟ୍ରେନିଂ ସମ୍ପର୍କିତ ଫାଇଦା ଦେବ।
ଇଭେଣ୍ଟର ପ୍ରଥମ ଦିନ ଅନେକ ଜଣାଶୁଣା ରେସଲର ପ୍ରତିଦ୍ୱନ୍ଦ୍ୱିତା କରିବା ପୂର୍ବରୁ ସିରିଞ୍ଜ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏପରିକି ନନ୍ଦିନୀ ନଗର ଭେନ୍ୟୁସ୍ଥିତ ପୁରୁଷଙ୍କ ଓ୍ବାଶରୁମ୍ରେ ଅନେକ ବ୍ୟବହୃତ ସିରିଞ୍ଜ ମିଳିଛି। ଏ ସମ୍ପର୍କରେ ସିଂ କହିଛନ୍ତି, ଆମେ ଲଗାତର ଡୋପିଂ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ଏବଂ ଦୋଷୀଙ୍କୁ ଧରିବାକୁ ଉଦ୍ୟମ କରୁଛୁ। କିନ୍ତୁ ଆହୁରି କାମ କରିବାର ଅଛି। ଡୋପିଂ ମାମଲା ଯୋଗୁ ରେସଲିଂ କ୍ଷତିଗ୍ରସ୍ତ ହୋଇଛି ଏବଂ ଆମେ ରେସଲିଂକୁ ସ୍ବଚ୍ଛ କରିବାକୁ ଚାହୁଁ। କୋଚ୍ ଓ ରେସଲରଙ୍କୁ ଡୋପିଂ ସମ୍ପର୍କରେ ଅବଗତ କରାଇଛି। କିନ୍ତୁ ଅନେକ ରେସଲର ଅଛନ୍ତି, ଯେଉଁମାନେ ଶର୍ଟ କଟ୍ ଉପରେ ଭରସା କରୁଛନ୍ତି। ଏହି ଟୁର୍ନାମେଣ୍ଟ ଲାଗି ନାଡା ଅଧିକାରୀ ଉପସ୍ଥିତ ଅଛନ୍ତି। ପ୍ରତ୍ୟେକ ଓଜନ କାଟେଗୋରୀରେ ଟପ-୧୦ ରେସଲରଙ୍କୁ ଡବ୍ଲ୍ୟୁଏଫ୍ଆଇ ପ୍ରମାଣପତ୍ର ଦେବ। କିନ୍ତୁ ମୁଖ୍ୟତଃ ପଦକ ବିଜେତାଙ୍କୁ ଡୋପ ଟେଷ୍ଟ କରାଯିବ।