ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଡାକ୍ତର ବୃନ୍ଦା ଡି। ସେ ପ୍ରଥମେ ଲାଞ୍ଜିଗଡ଼ ବ୍ଲକ ଗୁଣ୍ଡରୀ ପଞ୍ଚାୟତର ଗୁଣ୍ଡରୀ ଉପ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଲାଞ୍ଜି ପଞ୍ଚାୟତ ନଙ୍ଗଲବାହାଲିଠାରେ ଥିବା ବିକାଶ ନଗର ପରିଦର୍ଶନ କରି ସେଠାରେ ଥଇଥାନ କରାଯାଇଥିବା ଆଦିବାସୀଙ୍କ ଚାଲିଚଳଣ ବିଷୟରେ ପଚାରି ବୁଝିଥିଲେ। ସେଠାରୁ ସେ କୁମୁଡାପଦରଠାରେ ଥିବା କାଜୁ ବଗିଚା ପରିଦର୍ଶନ କରିଥିଲେ। ପରେ ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ସିଏଚ୍ସି ପରିଦର୍ଶନ କରି ଗୁଣ୍ଡରୀ ଓ ବିଶ୍ୱନାଥପୁର ସ୍ବାସ୍ଥ୍ୟ କେନ୍ଦ୍ରର ପରିଚାଳନା ଦେଖି ଖୁସିବ୍ୟକ୍ତ କରିଥିଲେ। ସଠାରୁ ସେ ଭବାନୀପାଟଣା ଫେରି ଯାଇଥିଲେ। ଏହି ଗସ୍ତ ସମୟରେ ତାଙ୍କ ସହିତ କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶ, ପ୍ରୋବେଶନାରୀ ଆଇଏଏସ୍ ଅନିମେଷ ପ୍ରଧାନ, ଡିପିଏମ୍ ଦିଲୀପ କୁମାର ଦୁବେ, ଯୋଜନା ଉପନିର୍ଦ୍ଦେଶକ ଶ୍ରୀକାନ୍ତ ଦଳେଇ, ଡ଼ିଏମ୍ଆର୍ସିଏଚ୍ ରଞ୍ଜନ ରଶ୍ମି ମହାନ୍ତି, ଲାଞ୍ଜିଗଡ଼ ବିଡ଼ିଓ ଶଶାଙ୍କ ପାତ୍ର, ଲାଞ୍ଜିଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଭବାନୀ ଶଙ୍କର ଲେଙ୍କା ପ୍ରମୁଖ ଉପସ୍ଥିତ ରହିଥିଲେ।


