ଭୁବନେଶ୍ୱର, କଳାହାଣ୍ଡି ଜିଲା ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ସ୍ବାମୀ ତଥା ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତିଙ୍କ ନାମରେ ଆସିଛି ସଙ୍ଗୀନ ଅଭିଯୋଗ। ନର୍ଲା ତହସିଲଦାର ବିଭୁ ପ୍ରସାଦ ସିଂଙ୍କୁ ଫୋନ କଲ ମାଧ୍ୟମରେ ହତ୍ୟା ଧମକ ଦେଇଥିଲେ। ଘଟଣାକୁ ନେଇ ତହସିଲଦାର ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ବିଧାନସଭା ସଦନରେ ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କୁ ଡାକି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟ କିଛି କହୁଥିବା ଦେଖିବାକୁ ମିଳିଥିଲା।
ସେପଟେ ଏହି ମାମଲା ପରେ ବିଧାୟିକାଙ୍କ ଭୁବନେଶ୍ବର ବାସଭବନରେ ମଧ୍ୟ ପୋଲିସ ପହଞ୍ଚିଥିଲା। ତେବେ କଳାହାଣ୍ଡି ଏସ୍ପି ନାଗରାଜ ଦେବର କୋଣ୍ଡା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ବିଧାୟିକାଙ୍କ ଘରକୁ ନୋଟିସ ଦେବାକୁ ପୋଲିସ ଯାଇଥିଲା । ସ୍ଥାନୀୟ ପୋଲିସ ସହାୟତାରେ କଳାହାଣ୍ଡି ପୋଲିସ ନୋଟିସ ଦେବାକୁ ଯାଇଥିଲା’। ଗିରଫଦାରୀ କିମ୍ବା କୌଣସି ରେଡ ପାଇଁ ଯାଇ ନ ଥିଲା । ତେଣୁ ବାଚସ୍ପତିଙ୍କୁ ଅବଗତ କରାଯାଇ ନ ଥିଲା ବୋଲି କହିଥିଲେ।

