ଗୋପାଳ ସମାଜର ନନ୍ଦ ମହୋତ୍ସବ

ପୁରୁଷୋତ୍ତମପୁର,୭।୯(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ରଥସାହି ଜଗନ୍ନାଥ ମନ୍ଦିର ପରିସରରେ ଷୋଳଖଣ୍ଡ ଗୋପାଳ ସମାଜର ପୂର୍ବଖଣ୍ଡ ତାଲୁକା ପକ୍ଷରୁ ଗୁରୁବାର ନନ୍ଦ ମହୋତ୍ସବ ମହାସମାରୋହରେ ପାଳିତ ହୋଇଛି। ଗୋପାଳ ସମାଜର ପରମ୍ପରା ସହ ଭାଇଚାରା ସୃଷ୍ଟି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା।

ଏହି ଅବସରରେ ଗୋପାଳ ସମାଜର ମହିଳାମାନେ ପବିତ୍ର ଋଷିକୁଲ୍ୟା ନଦୀରୁ କଳସରେ ପାଣି ଆଣି ଏକ ଶୋଭାଯାତ୍ରାରେ ନଗର ପରିକ୍ରମା କରି ଉତ୍ସବସ୍ଥଳରେ କଳସ ପ୍ରତିଷ୍ଠା କରିଥିଲେ। ଏହି ଅବସରରେ କୁନି କୁନି ଶିଶୁଙ୍କୁ ଶ୍ରୀକୃଷ୍ଣଙ୍କ ବେଶରେ ସଜ୍ଜିତ କରି ପରମ୍ପରା ଅନୁସାରେ ଦହିହାଣ୍ଡି ଭଙ୍ଗାଯାଇଥିଲା। ଏପରିକି କୃଷ୍ଣଙ୍କ ବିଭିନ୍ନ ଲୀଳାକୁ ଅତି ସୁନ୍ଦର ଭାବେ ନୃତ୍ୟ ମାଧ୍ୟମରେ ଅଭିନୟ କରି ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ବିଭିନ୍ନ ବାର୍ତ୍ତା ଦିଆଯାଇଥିଲା।

ସଭାପତି ଶିବରାମ ଗୌଡ଼ଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଆସିକା ଏମ୍‌ପି ପ୍ରମିଳା ବିଷୋଇ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଏନ୍‌ଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼, ଉପାଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା, ପୂର୍ବତନ ନଗରପାଳ ବାସୁଦେବ ମହାପାତ୍ର ଯୋଗ ଦେଇ ଏଭଳି ପରମ୍ପରା ବଜାୟ ରହିବା ସହ ଭାଇଚାରା ରହିବା ଲାଗି ପରାମର୍ଶ ଦେଇଥିଲେ। ଏପରିକି ଦଶମ ଏବଂ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଗୋପାଳ ସମ୍ପ୍ରଦାୟର ୫୨ଜଣ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିରେ ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ୱ ଗୋପାଳ ସମାଜର ମହିଳା, ପୁରୁଷ ଯୋଗଦେଇ ଏକତ୍ର ଧାଡିରେ ବସି ଖାଇଥିଲେ। ମୁନା ଗୌଡ଼, ବୁଲୁ ଗୌଡ଼, ଅରୁଣ କୁମାର ଗୌଡ଼, ସୁରେନ୍ଦ୍ର ଗୌଡ଼, ବାବୁ ଗୌଡ଼ ପର୍ଶୁରାମ ଗୌଡ଼ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।