Categories: ଫୁରସତ

ପ୍ରେମିକଙ୍କ ସହ କ୍ୱାରାଣ୍ଟାଇନ୍‌ରେ ରହିବେ ବୋଲି ସ୍ବାମୀର ପରିଚୟ ଦେଲେ ମହିଳା କନଷ୍ଟେବଳ

ମହାମାରୀ କରୋନା ଭାଇରସ୍‌ ଦ୍ୱାରା ଭାରତ ସମେତ ସମଗ୍ର ବିଶ୍ୱର ଅଧିକାଂଶ ଦେଶ ପ୍ରଭାବିତ ହୋଇଛନ୍ତି। ଯେ କୌଣସି ବ୍ୟକ୍ତିଙ୍କ ରିପୋର୍ଟ ପଜିଟିଭ୍‌ ଆସୁଛି ତାଙ୍କୁ ସଙ୍ଗେ ସଙ୍ଗେ କ୍ୱାରାଣ୍ଟାଇନ୍‌ରେ ରଖାଯାଉଛି। କିନ୍ତୁ ମହାରାଷ୍ଟ୍ରର ନାଗପୁରରେ କ୍ୱାରାଣ୍ଟାଇନ୍‌ ସହିତ ଜଡ଼ିତ ଏକ ଖବର ଆସିଛି, ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ନାଗପୁରର ଜଣେ ମହିଳା କନଷ୍ଟେବଳ ନିଜର ପ୍ରେମିକଙ୍କ ସହିତ କ୍ୱାରାଣ୍ଟାଇନ୍‌ରେ ବୋଲି ପ୍ରେମିକଙ୍କୁ ସ୍ବାମୀର ପରିଚୟ ଦେଇଛନ୍ତି। ଏହି ଘଟଣାଟି ବେଶ୍‌ ରୋଚକପୂର୍ଣ୍ଣ ଭାବେ ଲୋକଲୋଚନକୁ ଆସିଛି।


ଏହି ଘଟଣା ବଜାଜ ନଗର ଥାନା ଅଞ୍ଚଳର। ଏଠାକାର ଜଣେ ମହିଳା କନଷ୍ଟେବଳଙ୍କ ସହିତ ଆଉ ଜଣେ କର୍ମଚାରୀଙ୍କୁ କରୋନା ପଜିଟିଭ୍‌ ହୋଇଥିବାରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ପଠାଯାଇଥିଲା। କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ମହିଳା କନଷ୍ଟେବଳ ଜଣକ କହିଥିଲେ ତାଙ୍କ ସ୍ବାମୀ ପୋଷ୍ଟାଲରେ କାମ କରୁଥିଲେ। ତାଙ୍କୁ ମଧ୍ୟ କ୍ୱାରାଣ୍ଟାଇନ୍‌କୁ ନେବା ଦରକାର। ମହିଳା କନଷ୍ଟେବଳ ଜଣକ ପ୍ରେମିକଙ୍କୁ ସ୍ବାମୀର ପରିଚୟ ଦେଇ କ୍ୱାରାଣ୍ଟାଇନ୍‌ରେ ତାଙ୍କ ସହ ରହିଥିଲେ। କିନ୍ତୁ ପ୍ରେମିକ ଜଣକ ବିବାହିତ ଥିଲେ। ଯେତେବେଳେ ୩ ଦିନ ପର୍ଯ୍ୟନ୍ତ ସଂପୃକ୍ତ ପ୍ରେମିକ ଜଣକ ଘରକୁ ଫେରିଲେ ନାହିଁ, ତାଙ୍କ ସ୍ତ୍ରୀ ଖବର ପାଇ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ପହଞ୍ଚିଲେ। କିନ୍ତୁ ତାଙ୍କୁ ଭିତରକୁ ଛଡ଼ାଗଲା ନାହିଁ। ଏହା ପରେ ବଜାଜ ନଗର ଥାନାରେ ପହଞ୍ଚି ସ୍ବାମୀ ନିଖୋଜ ଥିବା ନେଇ ସେ ଏତଲା ଦେଇଥିଲେ।

ଅଭିଯୋଗ ମୁତାବକ ପୋଲିସ ଅଧିକାରୀ ଭୂଷଣ କୁମାର ଉପାଧ୍ୟାୟ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାର ତଦନ୍ତ କରି ପୋଲିସ ଅଧିକାରୀ କହିଥିଲେ, ମହିଳା କନଷ୍ଟେବଳ ଅବିବାହିତ। ତେଣୁ ତାଙ୍କ ସହକର୍ମୀ କରୋନା ସଂକ୍ରମିତ ହେବା ପରେ ତାଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଥିଲା। ଏହି ସମୟରେ ସେ ନିଜ ପ୍ରେମିକଙ୍କୁ ସ୍ବାମୀଙ୍କ ପରିଚୟ ଦେଇ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହିଥିଲେ। ଘଟଣା ଜଣାପଡ଼ିବା ପରେ ପ୍ରେମିକ ଜଣଙ୍କୁ ଅନ୍ୟ ଏକ କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ପଠାଯାଇଛି।
ତଦନ୍ତ ସମୟରେ ଜଣାପଡ଼ିଛି, ମହିଳା କନଷ୍ଟେବଳଙ୍କ ସହ ସଂପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କ ଗତବର୍ଷ ଅକ୍ଟୋବରରୁ ଗଢ଼ିଉଠିଛି। ସେହିଦିନଠାରୁ ଦୁହେଁ ରିଲେସନ୍‌ଶିପ୍‌ରେ ରହି ଆସୁଥିଲେ।

Share