ଏନ୍‌ଏସି ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ

କେସିଙ୍ଗା,୩୦ା୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିର ନବ ନିର୍ବାଚିତ ଅଧ୍ୟକ୍ଷ ନୃପରାଜ ଯାଦବ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି।
ଏନ୍‌ଏସିର ନିର୍ବାହୀ ଅଧିକାରିଣୀ ମିସ୍‌ କିରଣ ବେହେରା ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସ୍ବାଗତ କରିଥିଲେ। ପରେ ଅଧ୍ୟକ୍ଷ ସମର୍ଥକଙ୍କ ସହିତ ନିଜ ଚ୍ୟାମ୍ବରକୁ ଯାଇ ଆସନ ଗ୍ରହଣ କରିଥିଲେ। ଅଧ୍ୟକ୍ଷ ଆସନ୍ତା ୭ ତାରିଖରେ ହେବାକୁ ଥିବା ଭାଇସ ଚେୟାରମ୍ୟାନ ପାଇଁ ନୋଟିସ୍‌ରେ ପ୍ରଥମେ ଦସ୍ତଖତ କରିଥିଲେ।
ସହରର ବିଭିନ୍ନ ଅନୁଷ୍ଠାନ ତଥା ପ୍ରେସ କ୍ଲବ, ସମସ୍ତ ଦଳୀୟ କର୍ମକର୍ତ୍ତା ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସ୍ବାଗତ କରିଥିଲେ। ପରେ ଏନ୍‌ଏସିର ସଦ୍‌ଦ୍ଭାବନା ଗୃହରେ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ।

ଏନ୍‌ଏସିର ନିର୍ବାହୀ ଅଧିକାରୀ ମିସ୍‌ କରଣ ବେହେରା, ବ୍ଲକ ଚେୟାରମ୍ୟାନ ଚନ୍ଦନ ସେନାପତି, ଶିଲୁ ପରିଡ଼ା, ନଗରସଭାପତି ରମେଶ ପଟ୍ଟନାୟକ ପୂର୍ବତନ ଏନ୍‌ ଏସି ଅଧ୍ୟକ୍ଷ ରମାକାନ୍ତ ଗୌଡ଼, ଆଇନଜୀବୀ ପ୍ରକାଶ ଦାଶ, ସୂର୍ଯ୍ୟକାନ୍ତ ଦାଶ, ସୁରେଶ ମହାନନ୍ଦ,ମହିଳା ସ୍ବଚ୍ଛ ସାଥୀ ପ୍ରମୁଖ ଏହି ସମ୍ବର୍ଦ୍ଧନା ସଭାରେ ଯୋଗଦେଇଥିଲେ।

କେସିଙ୍ଗା ସହରବାସୀ ରାସ୍ତାଘଟ, ପାନୀୟଜଳ, ବିଜୁଳି, ଡ୍ରେନ, ବସ୍ତିବାସିନ୍ଦାଙ୍କ ପାଇଁ ପଟ୍ଟା, ଶ୍ମଶାନଘାଟ ନିର୍ମାଣ, ପୋଖରୀରୁ ପଙ୍କ ଉଦ୍ଧାର ଆଦି ସମସ୍ୟା ବିଷୟରେ ଅଧ୍ୟକ୍ଷଙ୍କ ନିକଟରେ ଦାବି ଜଣାଇଥିଲେ। ଅଧ୍ୟକ୍ଷ ମଧ୍ୟ ଜନସାଧାରଣଙ୍କ ସମସ୍ୟା ସମାଧାନ କରିବେ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି।