Categories: ଜାତୀୟ

ପୂର୍ବ ଲଦାଖରେ ୪୦ ହଜାର ପିଏଲ୍‌ଏ ସୈନ୍ୟ

ନୂଆଦିଲ୍ଲୀ,୨୩ା୭: ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ର ଉତ୍ତେଜନାପୂର୍ଣ୍ଣ ସ୍ଥିତିକୁ ପ୍ରଶମିତ କରିବା ମନୋବୃତ୍ତି ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ)ର ନ ଥିବା ସ୍ପଷ୍ଟ ହୋଇଛି। ଏବେ ବି ପୂର୍ବ ଲଦାଖ ସେକ୍ଟରର ଆଗୁଆ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ଚାଇନା ପାଖାପାଖି ୪୦ ହଜାର ସୈନ୍ୟ ମୁତୟନ କରି ରଖିଛି। ପୂର୍ବ ଲଦାଖର ସଂଘର୍ଷ ସ୍ଥଳରୁ ସୈନ୍ୟ ପ୍ରତ୍ୟାହାର କରିନେବା ଲାଗି କୂଟନୈତିକ ଓ ସାମରିକ ସ୍ତରୀୟ ଆଲୋଚନା ବେଳେ ଚାଇନା ବାରମ୍ବାର ପ୍ରତିଶ୍ରୁତି ଦେଉଥିଲେ ହେଁ ଏହାକୁ କାର୍ଯ୍ୟକାରୀ କରୁନାହିଁ। ଏହାର ୪୦ ହଜାର ସୈନ୍ୟ ସମେତ ଓଜନଦାର ଯୁଦ୍ଧାସ୍ତ୍ର ପୂର୍ବ ଲଦାଖରେ ମୁତୟନ ରହିଥିବା ଏକ ସୂତ୍ରରୁ ଜଣାପଡ଼ିଛି। ଗତ ସପ୍ତାହରେ କମାଣ୍ଡର ସ୍ତରୀୟ ବୈଠକରେ ସୈନ୍ୟ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ହୋଇଥିଲେ ହେଁ ଏହି ପ୍ରକ୍ରିୟାରେ କୌଣସି ଅଗ୍ରଗତି ଘଟିନାହିଁ ଓ ପର୍ବ ସ୍ଥିତିରେ ପରିବର୍ତ୍ତନ ହୋଇନାହିଁ। ଫିଙ୍ଗର ୫ ଅଞ୍ଚଳରୁ ଚାଇନା ହଟିବାକୁ ଚାହୁଁନାହିଁ। ସେହିପରି ସେମାନେ ହଟ୍‌ସ୍ପ୍ରିିଙ୍ଗ୍‌ ଏବଂ ଗୋଗ୍ରା ପୋଷ୍ଟ ଅଞ୍ଚଳରେ ଅନେକ ଭିତ୍ତିଭୂମି ନିର୍ମାଣ କରିଛନ୍ତି।
ଅଧିକ ସୈନ୍ୟ ପ୍ରତ୍ୟାହାର କରିନେବା ସହ ଅଗ୍ରଗତିର ସମୀକ୍ଷା କରିବେ ବୋଲି ଜୁଲାଇ ୧୪-୧୫ରେ ହୋଇଥିବା କମାଣ୍ଡର ସ୍ତରୀୟ ବୈଠକରେ ଚାଇନା ରାଜି ହୋଇଥିଲା। ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କ ସହ ଚାଇନ ପକ୍ଷଙ୍କ ଆଲୋଚନାବେଳେ ଉଭୟ ପକ୍ଷ ସେମାନଙ୍କ ସ୍ଥାୟୀ ଅଞ୍ଚଳକୁ ସେନା ଫେରାଇନେବାକୁ ରାଜି ହୋଇଥିଲେ। ଏହା ସତ୍ତ୍ୱେ ଚାଇନା ସୈନ୍ୟ ହଟୁ ନ ଥିବାରୁ ଏହାର ମୁକାବିଲା ପାଇଁ ଭାରତୀୟ ବାୟୁସେନା ପକ୍ଷରୁ ପୂର୍ବ ଲଦାଖରେ ଯୁଦ୍ଧବିମାନ ଓ ଅନ୍ୟ ସରଞ୍ଜାମର ତ୍ୱରିତ୍‌ ମୁତୟନ କରାଯାଇଛି। ବାୟୁସେନାର ପ୍ରସ୍ତୁତିକୁ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ପ୍ରଶଂସା କରିବା ସହ ଏହା ବିରୋଧୀଙ୍କୁ ଦୃଢ଼ ଜବାବ ବୋଲି କହିଛନ୍ତି। ତିନିଦିନିଆ ସମ୍ମିଳନୀର ଉଦ୍‌ଘାଟନୀ ଦିବସରେ ବାୟୁସେନାର ଶୀର୍ଷ କମାଣ୍ଡରମାନଙ୍କୁ ଉଦ୍‌ବୋଧନ ଦେଇ ରାଜନାଥ କହିଥିଲେ, ସାର୍ବଭୌମତ୍ୱ ବଜାୟ ରଖିବା ପାଇଁ ରାଷ୍ଟ୍ର ଦୃଢ଼ ସଂକଳ୍ପବଦ୍ଧ। ଭାରତର ସଶସ୍ତ୍ର ବଳ ଓ ଏହାର ସାମର୍ଥ୍ୟ ଉପରେ ଦେଶବାସୀଙ୍କର ପୂର୍ଣ୍ଣ ଆସ୍ଥା ରହିଛି ବୋଲି ରାଜନାଥ କହିଥିଲେ।

Share