Categories: ବାଣିଜ୍ୟ

ସର୍ବନିମ୍ନ ସ୍ତରକୁ ଖସିିପାରେ ଜିଡିପି:ମୂର୍ତ୍ତି

ନୂଆଦିଲ୍ଲୀ,୧୨।୮: ମହାମାରୀ ଜନିତ ପ୍ରଭାବ ଯୋଗୁ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ପ୍ରାୟ ୫% ଖସିପାରେ। ଦେଶର ଜିଡିପି ଅଭିବୃଦ୍ଧି ସ୍ବାଧୀନତା ପରଠୁ ସବୁଠାରୁ ସର୍ବନିମ୍ନ ସ୍ତରକୁ ଖସିପାରେ ବୋଲି ବିଜ୍‌ନେସ୍‌ ଟାଇକୁନ ତଥା ପ୍ରମୁଖ ଆଇଟି କମ୍ପାନୀ ଇନ୍‌ଫୋସିସ୍‌ର ସହପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ଆଶଙ୍କା ପ୍ରକଟ କରିଛନ୍ତି। ଅର୍ଥ ବ୍ୟବସ୍ଥାକୁ ଟ୍ରାକ୍‌କୁ ଫେରାଇ ଆଣିବା ଲାଗି ବିଭିନ୍ନ ପଦକ୍ଷେପ ଉପରେ କାମ କରିବାର ଆବଶ୍ୟକତା ରହିଛି। ଏଭଳି ସ୍ଥିତିରେ ଲୋକମାନେ ନିଜକୁ ଖାପ ଖୁଆଇ ରହିବାକୁ ହେବ ବୋଲି ମୂର୍ତ୍ତି ଆହ୍ବାନ ଦେଇଛନ୍ତି। ବର୍ତ୍ତମାନ ଏକ ନୂଆ ସିଷ୍ଟମ ଉନ୍ନତୀକରଣ କରାଇବାକୁ ହେବ। ଅର୍ଥ ବ୍ୟବସ୍ଥାର ପ୍ରତିକ୍ଷେତ୍ରକୁ ପୂର୍ଣ୍ଣ କ୍ଷମତା ସହ ଆଗକୁ ବଢିବାକୁ ହେବ। ଏଭଳି ସ୍ଥିତିରେ ନିରାପତ୍ତାକୁ ମଧ୍ୟ ଧ୍ୟାନ ରଖିବାକୁ ସେ ଗୁରୁତ୍ୱାରୋପ କରିଛନ୍ତି।
ସେ ପୁଣି କହିଛନ୍ତି, କରୋନା ଯୋଗୁ ବିଶ୍ୱ ଜିଡିପି ୫ରୁ ୧୦% ଖସିବା ନେଇ ଆଶଙ୍କା କରାଯାଇଛି। ବର୍ତ୍ତମାନ ବିଶ୍ୱ ବଜାରର ଜିଡିପି ଅଭିବୃଦ୍ଧି ଲଗାତର ଖସି ଚାଲିଛି। ପର୍ଯ୍ୟଟନ ଏବଂ ଗମନାଗମନ ଶିଳ୍ପ ଠପ୍‌ ହୋଇଯାଇଛି। ଯଦି ଟିକା ଆସେ ତେବେ ଦିନକୁ ୧କୋଟି ଲୋକଙ୍କୁ ଟିକାକରଣ କଲେ ଅନ୍ତତଃ ପକ୍ଷେ ଏହା ୧୪୦ ଦିନ ଲାଗିଯିବ। ବର୍ତ୍ତମାନ କରୋନା ଟିକା ଆସି ନ ଥିବାରୁ ସମସ୍ତେ ସତର୍କ ହୋଇ ରହିବାକୁ ପଡିବ। ଦେଶର ୧୪ କୋଟି ଶ୍ରମିକ କରୋନା ଯୋଗୁ କାମ ହରାଇଛନ୍ତି। ଏଭଳି ସ୍ଥିତିରେ ସବୁ କିଛିକୁ ସମ୍ଭାଳିବା କଷ୍ଟକର। ଅର୍ଥ ବ୍ୟବସ୍ଥାକୁ ପୁଣି ଥରେ ଚାଲୁ କରିବା ଲାଗି ଶ୍ରମିକଙ୍କୁ ପୁଣି ଥରେ କାର୍ଯ୍ୟକ୍ଷେତ୍ରକୁ ଫେରାଇ ଆଣିବାକୁ ପଡିବ। ଦେଶର ସ୍ବାସ୍ଥ୍ୟ ଭିତ୍ତିଭୂମିରେ ବେଶି ଅର୍ଥ ଖର୍ଚ୍ଚ ହେଉ ନ ଥିବାରୁ ଏଭଳି ମହାମାରୀ ବିରୋଧରେ ଲଢ଼ିବା କଷ୍ଟକର ହେଉଥିବାରୁ ଏହାକୁ ନେଇ ମୂର୍ତ୍ତି ଉଦ୍‌ବେଗ ପ୍ରକାଶ କରିଛନ୍ତି।

Share