ରାୟଗଡ଼ା,୧୬।୮(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ଜିଲା ଶେଷଖାଲ ଥାନା ଅନ୍ତର୍ଗତ ବୁରୁସୁବାଡି ଗାଁରେ ଗୁଣିଗାରେଡି ସନ୍ଦେହରେ ଏକ ହତ୍ୟାକାଣ୍ଡ ଘଟିଛି । ମୃତ ବ୍ୟକ୍ତି ହେଲେ ରାମାରାଓ ଜିଲାକାରା। ରାମାରାଓ ଗୁଣିଗାରେଡି କରୁଥିବା ସନ୍ଦେହ କରି କିଛି ବ୍ୟକ୍ତି ତାଙ୍କୁ ଗତ ୮ ତାରିଖରେ ବିଷ ପିଆଇବା ପରେ ପରବର୍ତ୍ତୀ ସମୟରେ ପୋଡ଼ି ଦେଇଥିଲେ। ତେବେ ଏହି ଘଟଣା ୮ ତାରିଖରେ ଘଟିଥିଲେ ମଧ୍ୟ ପରିବାରବର୍ଗ ଭୟରେ ଥାନାର ଦ୍ବାରସ୍ଥ ହୋଇ ନ ଥିଲେ। ପରେ ୧୨ ତାରିଖରେ ପରିବାରବର୍ଗ ଶେଷଖାଲ ଥାନାରେ ଏତଲା ଦେବା ପରେ ପୋଲିସ ଘଟଣାର ତଦନ୍ତ କରି ୧୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ରାୟଗଡ଼ା ଏସଡିପିଓ ଗୌରହରି ସାହୁ ସୂଚନା ଦେଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ରାମାରାଓଙ୍କ ପରିବାରବର୍ଗଙ୍କୁ ତାଙ୍କ ସମ୍ପର୍କୀୟ ଘରେ ରଖାଯାଇଥିବା କହିଛନ୍ତି ଏସଡପିଓ ସାହୁ। ବର୍ତମାନ ଏହିଭଳି ଅନ୍ଧବିଶ୍ୱାସ ନପଡ଼ିବା ପାଇଁ ବାରମ୍ବାର ସଚେତନତା କରାଯାଉଥିଲେ ମଧ୍ୟ ଲୋକେ ବର୍ତ୍ତମାନ ସୁଦ୍ଧା ଗୁଣିଗାରେଡି ଉପରେ ଭରସା ରଖୁଛନ୍ତି। ତେଣୁ ଆଗାମୀ ଦିନରେ ପୋଲିସ ପକ୍ଷରୁ ଉକ୍ତ ଅଞ୍ଚଳ ସମେତ ବିଭିନ୍ନ ଗ୍ରାମାଞ୍ଚଳରେ ସଚେତନତା କରାଯିବ ବୋଲି ଏସଡିପିଓ ସାହୁ କହିଛନ୍ତି।

