ମୁମ୍ବାଇ,୧୭ା୪: ଆଇପିଏଲ୍ରେ ଗୁରୁବାର ଖେଳାଯାଇଥିବା ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍ଆଇ) ୪ ଉଇକେଟରେ ସନରାଇଜର୍ସ ହାଇଦ୍ରାବାଦ୍ (ଏସ୍ଆର୍ଏଚ୍)କୁ ପରାସ୍ତ କରିଛି। ହାଇଦ୍ରାବାଦ୍ ପକ୍ଷରୁ ଧାର୍ଯ୍ୟ ୧୬୩ ରନର ଟାର୍ଗେଟକୁ ମୁମ୍ବାଇ ୧୮.୧ ଓଭରରେ ୬ ଉଇକେଟ ହରାଇ ହାସଲ କରି ନେଇଥିଲା। ଏହା ମୁମ୍ବାଇର କ୍ରମାଗତ ଦ୍ୱିତୀୟ ଓ ମୋଟ ଉପରେ ତୃତୀୟ ବିଜୟ ହୋଇଥିବା ବେଳେ ହାଇଦ୍ରାବାଦ ଲାଗି ଏହା ପଞ୍ଚମ ପରାଜୟ। ମ୍ୟାଚ୍ ପୂର୍ବରୁ ମୁମ୍ବାଇ ବ୍ୟାଟର ରୋହିତ ଶର୍ମାଙ୍କୁ ବିସିସିଆଇ ସଭାପତି ରୋଜର ବିନି ସମ୍ବର୍ଦ୍ଧିତ କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ୨୦ ଓଭରରେ ୫ ଉଇକେଟ ହରାଇ ୧୬୨ ରନ କରିଥିଲା। ଦଳ ପକ୍ଷରୁ ଅଭିଷେକ ଶର୍ମା ୨୮ ବଲରେ ସର୍ବାଧିକ ୪୦ (୭ ଚୌକା) ରନ କରିଥିବା ବେଳେ ହନରିଚ କ୍ଲାସେନ ୨୮ ବଲରେ ୩୭ (୩ ଚୌକା ଓ ୨ ଛକା), ଟ୍ରାଭିସ ହେଡ୍ ୨୮ (୩ ଚୌକା), ଅନିକେତ ବର୍ମା ୮ ବଲରେ ୧୮ (୨ ଛକା) ରନ କରିଥିଲେ। ଏହି ମ୍ୟାଚ୍ ଜରିଆରେ ହେଡ୍ ଦ୍ୱିତୀୟ ଦ୍ରୁତତମ ବ୍ୟାଟର ଭାବେ ଆଇପିଏଲ୍ କ୍ୟାରିୟରରେ ଏକ ହଜାର ରନ ପୂରଣ କରିଛନ୍ତି।
ମୁମ୍ବାଇ ପକ୍ଷରୁ ଓ୍ବିଲ ଜ୍ୟାକ୍ସ ୨ ଉଇକେଟ ନେଇଥିବା ବେଳେ ଟ୍ରେଣ୍ଟ ବୋଲ୍ଟ, ଯଶପ୍ରୀତ ବୁମରା ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏ ଉଇକେଟ ହାତେଇଥିଲେ। ଜବାବରେ ମୁମ୍ବାଇକୁ ରିଆନ ରିକଲଟନ ଓ ରୋହିତ ଶର୍ମାଙ୍କ ଓପନିଂ ଯୋଡ଼ି ଭଲ ଆରମ୍ଭ କରିଥିଲେ। ରୋହିତ ୧୬ ବଲରେ ୩ ଛକା ବଳରେ ୨୬ ଓ ରିକଲଟନ ୫ ଚୌକା ସହିତ ୩୧ ରନ ପାଭିଲିଅନ ଫେରିଥିଲେ। ଏହାପରେ ଓ୍ବିଲ ଓ ସୂର୍ଯ୍ୟକୁମାର ଯାଦବ ତୃତୀୟ ଉଇକେଟରେ ୫୨ ରନ ଯୋଡ଼ିଥିଲେ। ଦୁହେଁ ପ୍ରତିପକ୍ଷ ଦଳର ଅଧିନାୟକ ପ୍ୟାଟ କୁମିନ୍ସଙ୍କ ବଲରେ ଆଉଟ ହୋଇଥିଲେ। ଜ୍ୟାକ୍ସ ୨୬ ବଲରେ ୩ ଚୌକା ଓ ୨ ଛକା ସହିତ ୩୬ ଏବଂ ସୂର୍ଯ୍ୟକୁମାର ୧୫ ବଲରେ ୨ ଲେଖାଏ ଚୌକା ଓ ଛକା ବଳରେ ୨୬ ରନ କରି ପାଭଲିଅନ ଫେରିଥିଲେ। ଶେଷ ଆଡ଼କୁ ତିଲକ ବର୍ମା ୧୭ ଓ ହାର୍ଦ୍ଦିକ ୨୧ (୩ ଚୌକା ଓ ୧ ଛକା) ରନ କରି ଦଳକୁ ଜିତାଇଥିଲେ।


