Categories: ଖେଳ

ଆଜି ମୁମ୍ବାଇ-ଚେନ୍ନାଇ ସଂଘର୍ଷ

ଚେନ୍ନାଇ,୬।୫: ଆଇପିଏଲ୍‌ ୨୦୨୩ର ୧୬ତମ ସିଜନରେ ଶନିବାର ଡବଲ ହେଡର୍‌ ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚ୍‌ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ସହିତ ମୁକାବିଲା ହେବ। ପ୍ଲେ ଅଫ ଦୌଡ଼କୁ ଦୃଷ୍ଟିରେ ରଖି ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ପୂର୍ବରୁ ଚେନ୍ନାଇକୁ ଏକ ବଡ଼ ଆଶ୍ୱସ୍ତ ମିଳିଛି। ସିଏସ୍‌କେର ତାରକା ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ଷ୍ଟୋକ୍ସ ଶନିବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳିପାରନ୍ତି ବୋଲି ଅନୁମାନ କରାଯାଇଛି।

ଚେନ୍ନାଇ ସୁପର କିଙ୍ଗ୍ସ ଏହି ସିଜନ୍‌ରେ ବେନ୍‌ ଷ୍ଟୋକ୍ସଙ୍କୁ ୧୭ କୋଟି ଟଙ୍କାରେ କ୍ରୟ କରିଥିଲା। ହେଲେ ସେ ଆଇପିଏଲ୍‌ର ପ୍ରାରମ୍ଭିକ ମ୍ୟାଚରେ ଭାଗ ନେଇଥିଲେ। କିନ୍ତୁ ସେ କେବଳ ବ୍ୟାଟିଂ କରିବାକୁ ପଡ଼ିଆକୁ ଆସିଥିଲେ। ପରେ ଷ୍ଟୋକ୍ସଙ୍କ ଆହତ ସମସ୍ୟା ବଢ଼ି ଯାଇଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ଟିମ୍‌ରୁ ବାହାରକୁ ଯିବାକୁ ପଡ଼ିଥିଲା।

ସିଏସ୍‌କେ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ, ଷ୍ଟୋକ୍ସ ବର୍ତ୍ତମାନ ସମ୍ପୂର୍ଣ୍ଣ ଫିଟ୍‌ ଅଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ମ୍ୟାଚ ଖେଳିବା ପାଇଁ ଷ୍ଟୋକ୍ସ ଉପଲବ୍ଧ ହୋଇପାରନ୍ତି। ହେଲେ ୧୧ ଜଣିଆ ଦଳରେ ଷ୍ଟୋକ୍ସଙ୍କ ସ୍ଥାନ ସମ୍ପୂର୍ଣ୍ଣ ସ୍ଥିର ହୋଇନାହିଁ। ଏପରି କି ଷ୍ଟୋକ୍ସ ବୋଲିଂ ପାଇଁ ଫିଟ୍‌ ଅଛନ୍ତି କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। କେବଳ ଏତିକି ନୁହେଁ, ଫିଟ୍‌ ହେବା ସତ୍ତ୍ୱେ ଷ୍ଟୋକ୍ସଙ୍କ ପାଇଁ ଦଳରେ ଖେଳିବା ଏତେ ସହଜ ନୁହେଁ। ଅଧିନାୟକ ଧୋନି କୌଣସି ପରିସ୍ଥିତିରେ ମୋଇନ ଅଲ୍ଲୀଙ୍କୁ ଦଳରେ ରଖିବାକୁ ଚାହାଁନ୍ତି।

Share