ନନ୍ଦପୁର,୧୬ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଥାନାରେ ରବିବାର ରାତ୍ରରେ ଥାନା ଅଧୀନ ଗୁଣ୍ଠାପୁଟ, ପିତାଗୁଡ଼ା, ସୁବାଇ ଗ୍ରାମରୁ ଏକାଧିକ ଚୋରି ଘଟଣାର ଅଭିଯୋଗ ହୋଇଛି। ଗୁଣ୍ଠାପୁଟ ଗ୍ରାମ ନିବାସୀ ଟିସେନ ହନ୍ତାଳଙ୍କ ଘର ଦାଣ୍ଡରେ ଥିବା ଓଡି୨୪ ୩୨୬୯ ନମ୍ବର୍ ବିଶିଷ୍ଟ ବୋଲେରୋ ଗାଡ଼ି ଚୋରି ହୋଇଥିବା ଅଭିଯୋଗ କରିଛନ୍ତି। ପିତାଗୁଡ଼ା ଗ୍ରାମ ନିବାସୀ ବଳରାମ ସାଙ୍ଗାର୍ବିଙ୍କ ଓଡି ୧୦ ଏଫ୍ ୧୩୨୨ ନମ୍ବର୍ ବିଶିଷ୍ଟ ଗ୍ଲାମର୍ ବାଇକ ଚୋରି ହୋଇଥିବା ଅଭିଯୋଗ କରିଛନ୍ତି। ସେହିଭଳି ସୁବାଇ ହାଟରେ ଥିବା କୁକୁଡ଼ା (ଚିକେନ) ଦୋକାନରେ ଦୁର୍ବୃତ୍ତମାନେ କଣା କରିଥିବା ସୂଚନା ମିଳିଛି। ସୁବାଇ ଗ୍ରାମରେ ଦୁଇଜଣଙ୍କ ଘରୁ ରସ ସାମଗ୍ରୀ ଓ ୨ଟି ମୋବାଇଲ ଚୋରି ହୋଇଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି। ଗୋଟିଏ ରାତ୍ରିରେ ଏଭଳି ଏକାଧିକ ଚୋରି ଘଟଣା ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଛି। ନନ୍ଦପୁର ତଥା କୋରାପୁଟ ପୋଲିସ ପାଇଁ ଚୋରମାନେ ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି। ପୋଲିସ ଘଟଣାର ତଦନ୍ତ କରି ଚୋରଙ୍କୁ ଠାବ କରିବା ସହ ଏଭଳି ଚୋରି ଘଟଣାରୁ ଲୋକଙ୍କୁ ସୁରକ୍ଷିତ ରଖିବାକୁ ଅନୁରୋଧ କରିଛନ୍ତି। ନନ୍ଦପୁର ପୋଲିସ ଏକାଧିକ ସ୍ଥାନରେ ସିସିଟିଭି ଯାଞ୍ଚ କରି ଘଟଣାର ତଦନ୍ତ କରୁଥିବା ଥାନାଧିକାରୀ ତ୍ରିନାଥ ତୋଟାପାଡ଼ିଆ ସୂଚନା ଦେଇଛନ୍ତି।

