Categories: ଜାତୀୟ

ସୁପ୍ରିମକୋର୍ଟରେ ଟିକ୍‌ଟକ୍‌ କମ୍ପାନୀ ପକ୍ଷରୁ ଓକିଲାତି କରିବାକୁ ମନାକଲେ ପୂର୍ବତନ ଆଟର୍ନି ଜେନେରାଲ

ନୂଆଦିଲ୍ଲୀ,୧।୭: ଲଦାଖ ଏଲଏସିରେ ଭାରତ ଓ ଚାଇନା ମଧ୍ୟରେ ଲାଗିରହିଥିବା ସୀମା ବିବାଦକୁ ନେଇ ଦେଶର ଜନତାଙ୍କ ଭିତରେ ଆକ୍ରୋଶ ଦେଖିବାକୁ ମିଳିଛି। ଚାଇନାକୁ କଡ଼ା ଜବାବ ଦେବାକୁ ଯାଇ କେନ୍ଦ୍ର ସରକାର ମଧ୍ୟ ଭାରତୀୟଙ୍କ ତଥ୍ୟ ଚୋରି ହେବା ଅଭିଯୋଗରେ ସୋମବାର ୫୯ ଚାଇନା ଆପ୍‌କୁ ଦେଶରେ ବ୍ୟାନ କରିଦେଇଛନ୍ତି। ତେବେ ଚାଇନା କମ୍ପାନୀ ବିରୋଧରେ ଜନତା ଓ ସରକାରଙ୍କ ଅଭିଯାନ ପରେ ଏବେ ପୂର୍ବତନ ଆଟର୍ନି ଜେନେରାଲ ମୁକୁଲ ରୋହତଗି ସୁପ୍ରିମକୋର୍ଟରେ ଟିକ୍‌ଟକ୍‌ ପକ୍ଷରୁ ଓକିଲାତି କରିବାକୁ ମନା କରିଦେଇଛନ୍ତି। ବରିଷ୍ଠ ଓକିଲ ମୁକୁଲ କହିଛନ୍ତି, ସୁପ୍ରିମକୋର୍ଟରେ ଟିକ୍‌ଟକ୍‌ କମ୍ପାନୀ ପକ୍ଷରୁ ଓକିଲାତି କରୁଥିବା ସମୟରେ ସେ ସରକାରଙ୍କ ବିରୋଧରେ ଯୁକ୍ତି ଉପସ୍ଥାପନ କରିବେ ନାହିଁ। ସୂଚନାଯୋଗ୍ୟ, ମଙ୍ଗଳବାର ଟିକ୍‌ଟକ୍‌ କମ୍ପାନୀ ପକ୍ଷରୁ ଟିକ୍‌ଟକ୍‌ ହ୍ୟାଣ୍ଡେଲର ମୁଖ୍ୟ ନିଖିଲ ସ୍ପଷ୍ଟୀକରଣ ରଖି କହିଥିଲେ ଯେ, କୌଣସି ଯୁଜର୍ସଙ୍କ ତଥ୍ୟ ଅନ୍ୟ ଦେଶ ଏପରିକି ଚାଇନାକୁ ମଧ୍ୟ ଦିଆଯାଇନାହିଁ। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ୟୁଜର୍ସଙ୍କ ଗୋପନୀୟତା ଓ ସୁରକ୍ଷା ନିୟମ ପାଳନ କରାଯାଇଛି ବୋଲି ସେ କହିଥିଲେ।

Share