ତ୍ରିଶତକରୁ ୨ଟି ଛକା ଦୂରରେ ଧୋନୀ

ଦୁବାଇ, ୨୫।୯: ଚଳିତ ଆଇପିଏଲ୍‌ର ୭ମ ମୁକାବିଲାରେ ଶୁକ୍ରବାର ଚେନ୍ନାଇ ସୁପର୍‌ କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପର ସାମ୍ନାସାମ୍ନି ହେବେ। ସ୍ଥାନୀୟ ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ନିକଟରେ ଏକ ସ୍ବତନ୍ତ୍ର ଏଲିଟ୍‌ କ୍ଲବରେ ସାମିଲ ହେବାର ସୁଯୋଗ ରହିଛି। ଧୋନୀ ଯଦି ଏହି ମ୍ୟାଚ୍‌ରେ ୨ଟି ଛକା ମାରିବେ ତେବେ ଟି୨୦ କ୍ରିକେଟ୍‌ ଇତିହାସରେ ୩୦୦ ଛକା ମାରିବାର ସୌଭାଗ୍ୟ ଲାଭ କରିବେ। ଏହିକ୍ରମରେ ୩ୟ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ଧୋନୀ ଏହି ସ୍ବତନ୍ତ୍ର କ୍ଲବରେ ସାମିଲ ହେବେ। ପୂର୍ବରୁ ରୋହିତ୍‌ ଶର୍ମା (୩୬୭ ଛକା) ଓ ସୁରେଶ ରାଇନା (୩୧୧) ଏହି ଏଲିଟ୍‌ କ୍ଲବରେ ସାମିଲ ହୋଇସାରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ଟି୨୦ ଅନ୍ତର୍ଜାତୀୟ କ୍ରିକେଟ୍‌, ଘରୋଇ ଟି୨୦ କ୍ରିକେଟ୍‌ ଏବଂ ଆଇପିଏଲ୍‌କୁ ମିଶାଇ ଧୋନୀ ବର୍ତ୍ତମାନ ସୁଦ୍ଧା ୨୯୮ ଛକା ମାରିସାରିଛନ୍ତି। ୩୦୦ କ୍ଲବରେ ସାମିଲ ହେବା ଲାଗି ସେ ଆଉ ୨ଟି ଛକା ଆବଶ୍ୟକ କରୁଛନ୍ତି।

ତେବେ ଓଭର୍‌ଅଲ୍‌ ଟି୨୦ କ୍ରିକେଟ୍‌ରେ ସର୍ବାଧିକ ଛକା ମାରିବାର ରେକର୍ଡ ଓ୍ବେଷ୍ଟଇଣ୍ଡିଜର କ୍ରିସ୍‌ ଗେଲ୍‌ (୯୭୮ ଛକା)ଙ୍କ ନାମରେ ରହିଛି। ଏହାପଛକୁ କିରନ ପୋଲାର୍ଡ (୬୭୩) ଓ ବ୍ରେଣ୍ଡନ ମ୍ୟାକ୍‌କୁଲମ (୪୮୫) ରହିଛନ୍ତି। ଅପରପକ୍ଷରେ ଆଇପିଏଲ୍‌ରେ ସର୍ବାଧିକ ଛକା ମାରିଥିବା ବ୍ୟାଟ୍ସମ୍ୟାନ ତାଲିକାରେ ଧୋନୀ ୩ୟ ସ୍ଥାନରେ ରହିଛନ୍ତି। ଏହି ତାଲିକାରେ ଗେଲ୍‌ (୩୨୬) ସର୍ବାଗ୍ରେ ରହିଥିବାବେଳେ ୨ୟ ଓ ୩ୟ ସ୍ଥାନରେ ଯଥାକ୍ରମେ ଏବି ଡି ଭିଲର୍ସ (୨୧୫) ଓ ଧୋନୀ (୨୧୨) ସ୍ଥାନ ପାଇଛନ୍ତି।

Share