Categories: ବାଣିଜ୍ୟ

ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଶିଳ୍ପ ବୃଦ୍ଧିକୁ ଗୁରୁତ୍ୱ

ଭୁବନେଶ୍ୱର,୧୬।୯ (ଅଭୟ ଦାଶ): ମୁମ୍ବାଇଠାରେ ଆୟୋଜିତ ଗ୍ଲୋବାଲ ଷ୍ଟେନ୍‌ଲେସ୍‌-ଷ୍ଟିଲ୍‌ ଏକ୍ସପୋ-୨୦୨୩ (ଜିଏସ୍‌ଏସ୍‌ଇ୨୦୨୩)ର ଉଦ୍‌ଘାଟନ ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଏକ ମହତ୍ତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ବିଶେଷକରି ରାଜ୍ୟ ମଧ୍ୟରେ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଶିଳ୍ପ ବୃଦ୍ଧିକୁ ଗୁରୁତ୍ୱ ପ୍ରଦାନ ସହ ଓଡ଼ିଶା ସରକାର ଏକ ସ୍ବତନ୍ତ୍ର ସବ୍‌ସିଡି ଯୋଜନା ମଧ୍ୟ ପ୍ରଣୟନ କରିଛନ୍ତି ବୋଲି ଶର୍ମା କହଛନ୍ତି। ଉଲ୍ଲେଖଯୋଗ୍ୟ, ଜିଏସ୍‌ଏସ୍‌ଇ-୨୦୨୩ ଉଦ୍‌ଘାଟନୀ ଉତ୍ସବରେ ହେମନ୍ତ ଶର୍ମାଙ୍କ ସମେତ ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ, ଜିଏସ୍‌ଏସ୍‌ଇ ପରିଚାଳନା କମିଟିର ସଦସ୍ୟ ତଥା ଇସ୍ପାତ ମନ୍ତ୍ରଣାଳୟର ପୂର୍ବତନ ସଚିବ ଡ. ଅରୁଣା ଶର୍ମା ଏବଂ ଭିରଗୋ କମ୍ୟୁନିକେଶନ ଏବଂ ଏକ୍ସଜିବିସନର ନିର୍ଦ୍ଦେଶିକା ଅନୀଥା ରଘୁନାଥ ପ୍ରମୁଖଙ୍କ ଦ୍ୱାରା ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଥିଲା। ଏ ସମ୍ପର୍କରେ ଜିନ୍ଦଲ ଷ୍ଟେନ୍‌ଲେସ୍‌ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ କହିଛନ୍ତି, ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ସର୍ବତ୍ର ଅଛି ବୋଲି କହିବା ଅତ୍ୟୁକ୍ତି ହେବ ନାହିଁ ଏବଂ ଜି ୨୦ ପରି ଏକ ବଡ଼ କାର୍ଯ୍ୟକ୍ରମ ପାଇଁ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ର ବ୍ୟବହାର ରାସ୍ତାର ଶୋଭା ବଢ଼ାଇଛି। ଏପରିକି ନିକଟରେ ଚନ୍ଦ୍ରୟାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ସମୟରେ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଚନ୍ଦ୍ରରେ ପହଞ୍ଚିବାର ସାକ୍ଷୀ ହେବା ଏକ ଐତିହାସିକ ମୁହୂର୍ତ୍ତ ଥିଲା। ସେ ତାଙ୍କ କମ୍ପାନୀ ଦ୍ୱାରା ଓଡ଼ିଶାର ଇଣ୍ଡଷ୍ଟ୍ରିଆଲ୍‌ ପାର୍କ ଇନ୍‌-ମେକିଂ ଉପରେ ମତ ଦେଇ କହିଛନ୍ତି, ଶିଳ୍ପକୁ ମଜଭୁତ କରିବାର ଦୃଷ୍ଟିକୋଣ ସହ ଏହା ଭାରତର ପ୍ରଥମ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଇଣ୍ଡଷ୍ଟ୍ରିଆଲ୍‌ ପାର୍କ। ସେହିଭଳି ହେମନ୍ତ ଶର୍ମା କହିଛନ୍ତି, ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଏବଂ ଖଣିଜ କ୍ଷେତ୍ର ପାଇଁ ଓଡ଼ିଶା ଉଲ୍ଲେଖନୀୟ ଅବଦାନ ଦେଉଛି। ଭାରତରେ ଲୁହାପଥର ଏବଂ ବକ୍ସାଇଟ୍‌ର ଏକ ବୃହତମ ଉତ୍ପାଦକ ହେବା ପ୍ରକୃତରେ ଏକ ଉଲ୍ଲେଖନୀୟ ସଫଳତା ।
ଉକ୍ତ କାର୍ଯ୍ୟକ୍ରମରେ ଇସ୍ପାତ ମେଣ୍ଟ ଦ୍ୱାରା ‘ଭାରତର ଅମୃତ କାଳ’ ଶୀର୍ଷକ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ବିଷୟ ଉପରେ ଏକ ସ୍ବତନ୍ତ୍ର ରିପୋର୍ଟ ଉନ୍ମୋଚିତ ହୋଇଛି।

Share