ଦ୍ୱିତୀୟ ଗୁରୁପ୍ରିୟା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଏମ୍‌ପି

ଚିତ୍ରକୋଣ୍ଡା,୧୯ା୪(ଡି.ଏନ୍‌.ଏ.): ଆନ୍ଧ୍ର ଓଡ଼ିଶା ସୀମାନ୍ତ ନକ୍ସଲ ଉପଦ୍ରୁତ ଆଦିବାସୀ ବହୁଳ ତଥା ମାଓବାଦୀ ପ୍ରବଣ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଲାଲଗଡ଼ ଯନ୍ତ୍ରୀକୁ ଜଳପଥ ଦେଇ ଲଞ୍ଚ ଯୋଗେ ୪୦ କିଲୋମିଟର ଜଳଯାତ୍ରା କରି ନବରଙ୍ଗପୁର ଏମ୍‌ପି ରମେଶ ଚନ୍ଦ୍ର ମାଝି ପ୍ରଥମ ଥର ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ସ୍ବାଭିମାନ ଅଞ୍ଚଳବାସୀ ବହୁତ ଉଲ୍ଲାସର ସହ ଏମ୍‌ପିଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମକୁ ସ୍ବାଗତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ଅବସରରେ ଯନ୍ତ୍ରୀ ବାସୀଙ୍କ ମୁଖ୍ୟ ଅଭିଯୋଗ ଥିଲା ଯନ୍ତ୍ରୀଠାରୁ ପ୍ରାୟ ଏକ କିଲୋମିଟର ମୁଦୁଲିପଡ଼ାକୁ ସଂଯୋଗ ନିମନ୍ତେ ବ୍ରିଜ ନିର୍ମାଣ। ଏହି ଏକ କିଲୋମିଟର ବିଶିଷ୍ଟ ବ୍ରିଜ ନିର୍ମାଣ ହେଲେ ଯନ୍ତ୍ରୀ ଓ ଅଣ୍ଡିରାପାଲି ସମେତ ଆଖପାଖ ପଡ଼ୋଶୀ ପଞ୍ଚାୟତବାସୀ କମ୍‌ ସମୟରେ ବାୟାପଡ଼ା ଓ ମୁଦୁଲିପଡ଼ା ଦେଇ ଶୀଘ୍ର ପହଞ୍ଚି ପାରିବେ। ଏମ୍‌ପି ଉକ୍ତ ବ୍ରିଜ ନିର୍ମାଣ ନିମନ୍ତେ ସେହି ସ୍ଥାନକୁ ଯାଇ ଦେଖି ଅଞ୍ଚଳବାସୀଙ୍କ ସମସ୍ୟାକୁ ଅନୁଧ୍ୟାନ କରି ବ୍ରିଜ୍‌ ପାଇଁ ସହଯୋଗର ହାତ ବଢ଼ାଇ ନିର୍ମାଣ ନେଇ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ମୁତାବକ ବୁଧବାର ଏମ୍‌ପି ଏହି ଏକ କିଲୋମିଟର ବିଶିଷ୍ଟ ଦ୍ୱିତୀୟ ଗୁରୁପ୍ରିୟା ବ୍ରିଜ ନିର୍ମାଣ ନିମନ୍ତେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଉକ୍ତ ବ୍ରିଜ ନିର୍ମାଣ ହେଲେ ସ୍ବାଭିମାନ ଅଞ୍ଚଳର ଉପାନ୍ତ ଦୁର୍ଗମ ପଞ୍ଚାୟତବାସୀ ଯଥା ଯନ୍ତ୍ରୀ, ଅଣ୍ଡିରାପାଲି, ନାକାମାମୁଡ଼ି ତଥା ପଡ଼ୋଶୀ ପଞ୍ଚାୟତବାସୀ ଉପକୃତ ହେବେ।