ରାୟଗଡ଼ା,୧।୨(ଆଶିଷ ରଞ୍ଜନ ପଣ୍ଡା): ରବିବାର ଉପସ୍ଥାପନ ହୋଇଥିବା କେନ୍ଦ୍ରୀୟ ବଜେଟ୍ ଓଡ଼ିଶାର ଆଦିବାସୀଙ୍କୁ ଉପେକ୍ଷା କରାଯାଇଛି ବୋଲି ଟାର୍ଗେଟ କହିଛନ୍ତି ଏମପି ସପ୍ତଗିରି ଉଲାକା। କେନ୍ଦ୍ରୀୟ ବଜେଟ୍ ଭାଷଣରେ ଓଡ଼ିଶାକୁ ଚୟନମୂଳକ ଉଲେଖ କରାଯାଇଥିବା ବେଳେ, ଏହା ଆଦିବାସୀ ଓ କେବିକେ ଜିଲାଗୁଡ଼ିକ ପାଇଁ କୌଣସି ବ୍ୟାପକ କିମ୍ବା ସମନ୍ୱିତ ଦୃଷ୍ଟିକୋଣ ନାହିଁ । ଯାହା ଜାତୀୟ ବିକାଶ ଯୋଜନାର ସୀମାରେ ରହିଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ଏମପି ଉଲାକା ।
କେନ୍ଦ୍ର ସରକାର ୨୦୨୬–୨୭ ଆର୍ଥିକ ବର୍ଷ ପାଇଁ ମୋଟ ୫୩.୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ପ୍ରସ୍ତାବ ଦେଇଛନ୍ତି । ଯାହା ପୂର୍ବ ବର୍ଷର ସଂଶୋଧିତ ଆକଳନର ୪୯.୬ ଲକ୍ଷ କୋଟି ଟଙ୍କା ତୁଳନାରେ ଅଧିକ। ଆର୍ଥିକ ନିଅଂଟ ଜିଡିପିର ୪.୩% ରେ ଆକଳନ କରାଯାଇଛି । ଏହା ଗତ ବର୍ଷର ୪.୪% ତୁଳନାରେ ସାମାନ୍ୟ କମ୍। ବଜେଟରେ ଓଡ଼ିଶାର ଉପସ୍ଥିତି ପ୍ରାୟତଃ ପ୍ରତୀକାତ୍ମକ ସୀମାରେ ସୀମିତ ରହିଛି ବୋଲି ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି ଏମପି ଉଲାକା ।
ବଜେଟରେ ସ୍ଥାନୀୟ ନିଯୁକ୍ତି ସୃଷ୍ଟି, ବିସ୍ଥାପିତଙ୍କ ସୁରକ୍ଷା, କିମ୍ବା ଏହି କରିଡର ସହ ଜଡି଼ତ ଆଦିବାସୀ ସମ୍ପ୍ରଦାୟ ପାଇଁ ଲାଭ–ବଂଟନ ବ୍ୟବସ୍ଥା ସମ୍ପର୍କରେ କୌଣସି ସ୍ପଷ୍ଟ ରୂପରେଖ ଦିଆଯାଇନାହିଁ। ସେହିପରି ପ୍ରସ୍ତାବିତ ବିରଳ ପୃଥିବୀ କରିଡର ପାଇଁ ଖଣିଜ ସମୃଦ୍ଧ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶାକୁ ନାମିତ କରାଯାଇଥିଲେ ମଧ୍ୟ ବଜେଟ୍ ରାଜ୍ୟ ମଧ୍ୟରେ ମୂଲ୍ୟ ବୃଦ୍ଧି, ପରିବେଶଗତ ସୁରକ୍ଷା ଏବଂ ସମ୍ପ୍ରଦାୟ ଆଧାରିତ ସହମତି ସମ୍ପର୍କରେ ନୀରବ ରହିଛି । ଜାତୀୟ ପରିବେଶ–ପର୍ଯ୍ୟଟନ ପଦକ୍ଷେପ ଅଧୀନରେ ‘ଆରାକୁ’ ଉପତ୍ୟକାରେ ପର୍ବତ ଟ୍ରେକିଂ ପଥ ବିକାଶ ଘୋଷଣା କରାଯାଇଛି । କିନ୍ତୁ ଆଦିବାସୀ ଅଧ୍ୟୁଷିତ ଅବିଭକ୍ତ କୋରାପୁଟ ଜିଲାରେ ଅବସ୍ଥିତ ଓଡ଼ିଶାର ସର୍ବୋଚ୍ଚ ଶିଖର ଦେଓମାଳିକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଇଛି।
ଦେଓମାଳି କେବଳ ଏକ ଭୌଗୋଳିକ ଲ୍ୟାଣ୍ଡମାର୍କ ନୁହେଁ । ଏହା ଓଡ଼ିଶାର ଆଦିବାସୀ ପରିଚୟ, ପରିବେଶ, ପର୍ଯ୍ୟଟନ, ସମ୍ଭାବନା ଏବଂ ସ୍ଥାନୀୟ ଜୀବିକାର ଏକ କେନ୍ଦ୍ରବିନ୍ଦୁ। ଦେଓମାଳିକୁ ଅଣଦେଖା କରି ଆରାକୁକୁ ପ୍ରାଧାନ୍ୟ ଦେବା ଦୁର୍ବଳ ଆଂଚଳିକ ଯୋଜନା ଏବଂ ଓଡ଼ିଶାର ଆଦିବାସୀ ପ୍ରାଣଭୂମି ପ୍ରତି ଗଭୀର ସମ୍ବେଦନଶୀଳତାର ଅଭାବକୁ ପ୍ରତିବିମ୍ବିତ କରେ । କୋରାପୁଟ, ରାୟଗଡା଼, ମାଲକାନଗିରି ଏବଂ କନ୍ଧମାଳ ଭଳି ଆଭ୍ୟନ୍ତରୀଣ ଜିଲାଗୁଡ଼ିକ ବଜେଟର ବିକାଶ ବର୍ଣ୍ଣନାରେ ପ୍ରାୟ ଅଦୃଶ୍ୟ ରହିଛନ୍ତି ବୋଲି ସପ୍ତଗିରି ଉଲାକା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

