ଜନସମସ୍ୟା ନେଇ ଆନ୍ଦୋଳନ ନିଷ୍ପତ୍ତି

ବ୍ରହ୍ମପୁର ଅଫିସ,୨୧ା୧: ଗଞ୍ଜାମ ଜିଲା ସିପିଆଇର ବୈଠକ ଶୁକ୍ରବାର ବ୍ରହ୍ମପୁରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ବିରୋଧୀ ନୀତିର କଡ଼ା ସମାଲୋଚନା କରାଯାଇଥିଲା। ଜିଲାର ମୌଳିକ ସମସ୍ୟା ସମାଧାନରେ ସରକାରଙ୍କ ବିଫଳତାକୁ ନିନ୍ଦା କରାଯିବା ସହ ଏହା ପ୍ରତିବାଦରେ ଜିଲାରେ ଜନ ଆନ୍ଦୋଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ବୈଠକରେ ବରିଷ୍ଠ ନେତା ପ୍ରବୀଣ ଦାସ ଅଧ୍ୟକ୍ଷତା କରିଥିଲେ ଏବଂ ପାର୍ଟିର ପୂର୍ବତନ ରାଜ୍ୟ ସମ୍ପାଦକ ତଥା ଜାତୀୟ ପରିଷଦ ସଦସ୍ୟ ଆଶିଷ କାନୁନଗୋ ଯୋଗ ଦେଇଥିଲେ। ଆନ୍ଧ୍ରପ୍ରଦେଶର ବିଜୟୱାଡ଼ା ଠାରେ ଅନୁଷ୍ଠିତ ୨୪ତମ ପାର୍ଟି କଂଗ୍ରେସର ସାଙ୍ଗଠନିକ ରାଜନୈତିକ ପ୍ରସ୍ତାବଗୁଡ଼ିକ ସମ୍ପର୍କରେ କାନୁନଗୋ ସମବେତ କର୍ମକର୍ତ୍ତା ଓ କର୍ମୀଙ୍କୁ ସଚେତନ କରାଇଥିଲେ। ଜିଲାରେ ତୃଣମୂଳ ସ୍ତରରୁ ସଂଗଠନକୁ ମଜଭୁତ କରିବାକୁ ଆହ୍ବାନ ଦେବା ସହ ଆସନ୍ତା ମାର୍ଚ୍ଚ୨୩ରେ ଭୁବନେଶ୍ୱରରେ ହେବାକୁ ଥିବା ମହା ସମାବେଶକୁ ସଫଳ କରାଇବାକୁ ସେ ଗୁରୁତ୍ୱ ଦେଇଥିଲେ।
ଜିଲା ସମ୍ପାଦକ ପ୍ରକାଶ ପାତ୍ର ପ୍ରାରମ୍ଭିକ ସୂଚନା ଦେବା ସହ ବିବରଣୀ ଉପସ୍ଥାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯୁବ ସଂଘ ରାଜ୍ୟ ସଭାପତି ପ୍ରଦୀପ ସେଠୀଙ୍କ ସମେତ ଶ୍ରୀହର୍ଷ ରଥ, ନୀଳକଣ୍ଠ ଦାସ, ରଙ୍କନାଥ ସ୍ବାଇଁ, ଅଳକ ନାଥ ମିଶ୍ର, ଦଣ୍ଡପାଣି ସାମଲ, ଜନାର୍ଦ୍ଦନ ରେଡ଼ି, କୈଳାସ ପାତ୍ର, କାମଦେବ ନାହାକ, ଗୋପାଳ ଭୂୟାଁ, ଅନନ୍ତରାମ ମହାଙ୍କୁଡ଼, ସୀମାଞ୍ଚଳ ସାହୁ ପ୍ରମୁଖ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଥିଲେ। ଭଗତ ସିଂଙ୍କ ଶହୀଦ ଦିବସ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା।