କେନ୍ଦ୍ରୀୟ ଯୋଜନା ହଡ଼ପ ବିରୋଧରେ ଆନ୍ଦୋଳନ

କେନ୍ଦୁଝର/ଚମ୍ପୁଆ,୧୪ା୨(ସ୍ବ.ପ୍ର.): କେନ୍ଦୁଝର ଲୋକସଭା କ୍ଷେତ୍ରର ବିଭିନ୍ନ ସାଂଗଠନିକ ଚର୍ଚ୍ଚାକୁ ନେଇ ରାଜ୍ୟ ଭାଜପା ସଭାପତି ସମୀର ମହାନ୍ତି ଶନିବାର କେନ୍ଦୁଝର ଗସ୍ତ କରିଥିଲେ। ଜିଲା ଭାଜପା କାର୍ଯ୍ୟାଳୟରେ ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ସଂଯୋଜନାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପରେ ସଦର, ପାଟଣା, ଚମ୍ପୁଆ ଏବଂ ତେଲକୋଇ ନିର୍ବାଚନ ମଣ୍ଡଳୀ ଗସ୍ତ କରି ସାଂଗଠନିକ ଆଲୋଚନା କରିଥିଲେ। କେନ୍ଦ୍ରର ଯୋଜନା ହଡ଼ପ କରୁଥିବା ରାଜ୍ୟ ସରକାରଙ୍କ ବିରୋଧରେ ଜିଲା ଓ ମଣ୍ଡଳ ସ୍ତରରେ ଦୃଢ଼ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ଏଥିସହ କେନ୍ଦୁଝରରେ ଧରଣୀଧର ମେଡିକାଲ କଲେଜର ପ୍ରତିଷ୍ଠା ପାଇଁ ସମସ୍ତ ଅର୍ଥ କେନ୍ଦ୍ର ସରକାରଙ୍କ ଦ୍ୱାରା ସୃଷ୍ଠି ହୋଇଥିବା ଜିଲା ଖଣିଜ ପାଣ୍ଠିର ଶତ ପ୍ରତିଶତ ଅର୍ଥ ବିନିଯୋଗ ହୋଇଛି। ମାତ୍ର ରାଜ୍ୟ ସରକାର ଏଥିରେ ନିଜର ବାଃବାଃ ନେଉଛନ୍ତି। କେନ୍ଦୁଝର ଲୋକଙ୍କ ପଇସାରେ ମେଡିକାଲ କଲେଜ ତିଆରି ହୋଇଥିବାରୁ ଏଥିରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ଉଚିତ୍‌ ବୋଲି ରାଜ୍ୟ ସଭାପତି ମହାନ୍ତି କହିଥିଲେ। ସେହିପରି ଚମ୍ପୁଆ ନିର୍ବାଚନ ମଣ୍ଡଳୀର ରିମୁଳିଠାରେ ଏକ ଫୁଟବଲ ଖେଳରେ ଯୋଗ ଦେବାପରେ ମଣ୍ଡଳ ସଭାପତି ରାଜେଶ ଆଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ପଞ୍ଚମ କାର୍ଯ୍ୟକାରିଣୀ ବୈଠକ ଓ ସମର୍ପଣ ଦିବସରେ ଯୋଗଦେଇଥିଲେ। ବୁଥ୍‌ ଗଠନ ଓ ତୃଣମୂଳସ୍ତରରେ ସଂଗଠନକୁ ଅଧିକ ମଜବୁତ କରିବାପାଇଁ ପରାମର୍ଶ ଦେଇଥିଲେ। ପରେ ତେଲକୋଇ ନିର୍ବାଚନ ମଣ୍ଡଳୀର ଜଂଘିରା ମଣ୍ଡଳରେ ଏକ ବୁଥ କମିଟି ବୈଠକରେ ଯୋଗ ଦେଇଥିଲେ। ସଦର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି, ରାଜ୍ୟ ଭାଜପା ଉପ ସଭାପତି ଶୁକେଶୀ ଓରାମ, ଲୋକସଭା ପ୍ରଭାରୀ ସଞ୍ଜୀବ ମହାନ୍ତି, ଲୋକସଭା ସଂଯୋଜକ ଶୁକଦେବ ମହାନ୍ତ, ଲୋକସଭା ବିସ୍ତାରକ ଲାଲା ଜୀ ଡୋରା ଏବଂ ଅନ୍ୟ ଜିଲା ଏବଂ ରାଜ୍ୟସ୍ତରୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ।