Categories: ଫୁରସତ

ମାଉଣ୍ଟ ଏଭରେଷ୍ଟ ଏବେ ଅଳିଆରେ ଭର୍ତ୍ତି

ନୂଆଦିଲ୍ଲୀ: ବରଫ ଚଦରରେ ଆଚ୍ଛାଦିତ ବିଶ୍ୱର ସବୁଠୁ ଉଚ୍ଚ ପର୍ବତ, ତାହା ବର୍ତ୍ତମାନ ଅଳିଆରେ ଭର୍ତ୍ତି ହେଉଛି। ଯେଉଁଠାରେ ଦେଖିବ କେବଳ ଅଳିଆ ହିଁ ଅଳିଆ ଦେଖିବାକୁ ମିଳିବ। ନଷ୍ଟ କ୍ୟାମ୍ପ, ଖାଲି ଅମ୍ଳଜାନ ସିଲିଣ୍ଡର, ଫୁଡ଼ କଣ୍ଟେନର ଆଦି ପର୍ବତରେ ପଡ଼ିଥିବା ଦେଖିବାକୁ ମିଳୁଛି। ୭୦ ବର୍ଷ ପୂର୍ବରୁ ମେ ୨୯ରେ ତେନଞ୍ଜିଂ ନୋର୍ଗେ ଏବଂ ଏଡ୍‌ମଣ୍ଡ ହିଲାରି ପ୍ରଥମ ଭାବେ ବିଶ୍ୱର ସବୁଠାରୁ ଉଚ୍ଚ ପର୍ବତ ମାଉଣ୍ଟ ଏଭରେଷ୍ଟ ଶିଖରରେ ପହଞ୍ଚି ଇତିହାସ ରଚିଥିଲେ। ଏହା ପରଠାରୁ ପ୍ରତିବର୍ଷ ଅନେକ ଲୋକ ଏଭରେଷ୍ଟ ଚଢୁଛନ୍ତି। ହେଲେ ସେମାନେ ପରିବେଶ ପ୍ରତି ବିଲ୍‌କୁଲ ସତର୍କ ନୁହନ୍ତି। ନ୍ୟାଶନାଲ ଜିଓଗ୍ରାଫିକ୍‌ ରିପୋର୍ଟ ଅନୁସାରେ, ସମୁଦ୍ର ପତ୍ତନଠାରୁ ୮୮୪୮.୮୬ ମିଟର ଉଚ୍ଚତାରେ ଥିବା ଏଭରେଷ୍ଟକୁ ଯାଉଥିବା ପ୍ରତ୍ୟେକ ପର୍ବତାରୋହୀ ସେଠାରେ ୮ କିଲୋ ଅଳିଆ ଉତ୍ପନ କରୁଛନ୍ତି। ଅଳିଆକୁ ସେଠାରୁ ହଟାଇବା ମଧ୍ୟ କଷ୍ଟକର। ଏଭରେଷ୍ଟ ବାବଦରେ ବିଶ୍ୱକୁ ଖବର ଦେଉଥିବା ଟୁଇଟର ଆକାଉଣ୍ଟ ରବିବାର ଏକ ଭିଡିଓ ପୋଷ୍ଟ କରିଛି; ଯାହାକି ବେଶ୍‌ ଭାଇରାଲ ହେଉଛି। ଯେଉଁଠାରେ ପର୍ବତାରୋହୀ ବ୍ୟବହୃତ କରିଥିବା ଜିନିଷ ଅଳିଆ ଭାବେ ପଡ଼ିଥିବା ଦେଖିବାକୁ ମିଳିଛି। କ୍ୟାପ୍ସନରେ ଲେଖାଯାଇଛି, ମଣିଷ ଯେତେ ଉଚ୍ଚକୁ ଅଧିକାର କରିଥିଲେ ମଧ୍ୟ ପ୍ରକୃତି ପ୍ରତି ନିଜ ଆଚରଣ ଓ କରୁଣା ଦୃଷ୍ଟିରୁ ବହୁତ ତଳେ ରହିଛି। ପାହାଡ଼ ହେଉ କି ଜଙ୍ଗଲ, ନଦୀ ଆମେ ପ୍ରକୃତିକୁ ନଷ୍ଟ କରିବାକୁ କିଛି ମୌକା ଛାଡୁନାହୁଁ। ଏହି ଭିଡିଓରେ ଲୋକେ ବିଭିନ୍ନ କମେଣ୍ଟ କରିଛନ୍ତି। ଜଣେ ଲେଖିଛନ୍ତି, ସ୍ବଚ୍ଛତା ଅଭିଯାନକୁ ପର୍ବତାରୋହୀ ତାଙ୍କର ଏହି ଅଭିଯାନର ଅଂଶ ଭାବେ ଗ୍ରହଣ କରନ୍ତୁ, ନଚେତ୍‌ ସମସ୍ତଙ୍କୁ ଏହା ଉପରକୁ ଯିବାରୁ ବାରଣ କରାଯାଉ।

Share