Categories: ବାଣିଜ୍ୟ

ଓଏଚ୍‌ପିସି ଓ ବିଶ୍ୱ ଦକ୍ଷତା କେନ୍ଦ୍ର ମଧ୍ୟରେ ଏମ୍‌ଓୟୁ

ଭୁବନେଶ୍ୱର,୬।୧୦: ”ସବୁଜ ଶକ୍ତି ଉତ୍କର୍ଷ କେନ୍ଦ୍ର’ ସ୍ଥାପନ ପାଇଁ ଓଡ଼ିଶା ଜଳବିଦ୍ୟୁତ ଶକ୍ତି ନିଗମ ଲିମିଟେଡ୍‌ (ଓଏଚ୍‌ପିସି) ଓ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ମଧ୍ୟରେ ସୋମବାର ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର ହୋଇଯାଇଛି। ଏହି କେନ୍ଦ୍ରଟି ସ୍ଥାନୀୟ ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର କ୍ୟାମ୍ପସ୍‌ର ‘କୌଶଳ ଭବନ’ରେ ସ୍ଥାପନ କରାଯିବ। ଏଥିପାଇଁ ୧,୪୮,୭୫,୦୦୯ ଟଙ୍କା ବ୍ୟୟ ହେବ ଏବଂ ଏହା ସମ୍ପୂର୍ଣ୍ଣ ଭାବେ ଓଏଚ୍‌ପିସିର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଅଧୀନରେ ନିର୍ମାଣ ହେବ ା ପ୍ରାୟ ୩,୦୦୦ ବର୍ଗ ଫୁଟ ପରିମିତ ସ୍ଥାନରେ ବ୍ୟାପିଥିବା ଏହି କେନ୍ଦ୍ର, ରଫ୍‌ଟପ୍‌ ସୋଲାର, ଭାସମାନ ସୌର ପ୍ରକଳ୍ପ ଏବଂ ସୋଲାର-ଟ୍ରାକର ଜ୍ଞାନକୌଶଳ ସହ ପିଏଲ୍‌ସି ଓ ଏସ୍‌ସିଏଡିଏ, ଇଣ୍ଡଷ୍ଟ୍ରିଆଲ ଆଇଓଟି, ରିମୋଟ ମନିଟରିଂ, ଡିଜିଟାଲ ଜ୍ଞାନକୌଶଳ, ପ୍ରିଡିକ୍ଟିଭ ମେଣ୍ଟେନାନ୍ସ, ଶକ୍ତି ପରିଚାଳନା ଏବଂ ସଂରକ୍ଷଣ ବ୍ୟବସ୍ଥା ଭଳି ଅତ୍ୟାଧୁନିକ କ୍ଷେତ୍ରରେ ତାଲିମ ଓ ପ୍ରଦର୍ଶନ ସୁବିଧା ଯୋଗାଇବ। ଏହି କେନ୍ଦ୍ର ବାର୍ଷିକ ପ୍ରାୟ ୩୦୦ ଯୁବତୀଯୁବକଙ୍କୁ ସୋଲାର ପିଭି ଟେକ୍ନିସିଆନ, ପରିଚାଳନା ଓ ରକ୍ଷଣାବେକ୍ଷଣ ଟେକ୍ନିସିଆନ, ସାଇଟ ସୁପରଭାଇଜର ଏବଂ ଏର୍ନ୍‌ଜି ଅଡିଟର ଭଳି ନୂତନ କ୍ଷେତ୍ର ପାଇଁ ତାଲିମ ପ୍ରଦାନ କରିବ ବୋଲି ଆଶା କରାଯାଉଛି ା ଉକ୍ତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ଶିଳ୍ପ ତଥା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶକ୍ତି ବିଭାଗ ଓ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଓଏଚ୍‌ପିସି ବିଶାଳ କୁମାର ଦେବ, କମିଶନର-ତଥା-ଶାସନ ସଚିବ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଭୂପେନ୍ଦ୍ର ସିଂହ ପୁନିଆଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ବାକ୍ଷର ହୋଇଥିଲା। ଏହି ଅବସରରେ ଓଏଚ୍‌ପିସି ଓ ବିଶ୍ୱ ଦକ୍ଷତା କେନ୍ଦ୍ରର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଓଏଚ୍‌ପିସି ପକ୍ଷରୁ ସନ୍ଦୀପ ପଟ୍ଟନାୟକ, ନିର୍ଦ୍ଦେଶକ (ମାନବ ସମ୍ବଳ) ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ରଶ୍ମିରଞ୍ଜନ ମହାପାତ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏହି ବୁଝାମଣାପତ୍ର ସ୍ବାକ୍ଷର କରିଥିଲେ।

 

Dharitri – Odisha’s No.1 Odia Daily

Share