ଶିଶୁକନ୍ୟାଙ୍କୁ ବିଷ ପିଆଇ ନିଜେ ପିଇଦେଲେ

ବୁଗୁଡ଼ା,୨୭ା୬ (କଳୀଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ପୋଚାଲୁଣ୍ଡି ଗ୍ରାମରେ ଜନ୍ମିତ ଶିଶୁକନ୍ୟାଙ୍କୁ ବିଷ ପିଆଇ ମା’ ନିଜେ ପିଇଦେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଉଭୟ ମା’ ଓ ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତା ମହିଳା ହେଲେ କୃଷ୍ଣଚନ୍ଦ୍ର ବିଷୋୟୀଙ୍କ ସ୍ତ୍ରୀ ଆରତୀ ବିଷୋୟୀ ଓ ତାଙ୍କର ଦେଢ଼ବର୍ଷର କନ୍ୟା। ପ୍ରକାଶ ଯେ, ପାରିବାରିକ ଅଶାନ୍ତି କାରଣରୁ ରବିବାର ରାତିରେ ମା’ ଆରତୀ ଦେଢ ବର୍ଷର ଶିଶୁକନ୍ୟାକୁ ବିଷ ପିଆଇ ନିଜେ ମଧ୍ୟ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କର ମୃତ୍ୟୁ ହୋଇଛି। ଏ ନେଇ ସ୍ବାମୀ କୃଷ୍ଣଚନ୍ଦ୍ରଙ୍କ ପକ୍ଷରୁ ବାଲିପଦର ଫାଣ୍ଡିରେ ଅଭିଯୋଗ ପରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଥାନା କେସ୍‌ ନଂ ୧୨/୨୩ ଏବଂ ୧୩/୨୩ରେ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଆଇଆଇସି ଚିତ୍ତରଞ୍ଜନ ବେହେରା କହିଛନ୍ତି। ଘଟଣା ସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ପରୀକ୍ଷା ଜାରି ରଖିଥିବା ବେଳେ ତଦନ୍ତ ପରେ ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି।