ମୁମ୍ବାଇ,୧୮ା୧୨: ଆଇପିଏଲ୍ ୨୦୨୬ ନିଲାମରେ ଚେନ୍ନାଇ ସୁପର କିଙ୍ଗସ୍ (CSK) ଦ୍ୱାରା ୧୪.୨୦ କୋଟି ଟଙ୍କାରେ କିଣାଯାଇଥିବା ଯୁବ ୱିକେଟକିପର ବ୍ୟାଟର କାର୍ତ୍ତିକ ଶର୍ମାଙ୍କ ସଫଳତା ପଛରେ ରହିଛି ସଂଘର୍ଷପୂର୍ଣ୍ଣ କାହାଣୀ। ଯେଉଁ ପରିବାର ଦିନେ ଅଭାବ ଅନଟନ ଯୋଗୁଁ ଖାଲି ପେଟରେ ରାତି କାଟୁଥିଲା, ଆଜି ସେହି ପରିବାରର ପୁଅ କୋଟିପତି ପାଲଟି ସମଗ୍ର ଭରତପୁର ଜିଲା ପାଇଁ ଗର୍ବ ଆଣିଦେଇଛି।
କାର୍ତ୍ତିକଙ୍କୁ ଏକ ସଫଳ କ୍ରିକେଟର ଭାବେ ଗଢ଼ିତୋଳିବା ପାଇଁ ତାଙ୍କ ବାପା ମନୋଜ ଶର୍ମା ଓ ମା’ ରାଧା ଶର୍ମା ଅନେକ ତ୍ୟାଗ କରିଛନ୍ତି। କାର୍ତ୍ତିକଙ୍କ ଟ୍ରେନିଂ ଓ ଖେଳ ଖର୍ଚ୍ଚ ତୁଲାଇବା ପାଇଁ ପରିବାର ପକ୍ଷରୁ ନିଜର ଚାଷ ଜମି ବିକ୍ରି କରାଯାଇଥିଲା। ଏପରିକି ମା’ ନିଜର ସୁନା ଗହଣା ବିକି ପୁଅର ସ୍ୱପ୍ନକୁ ବଞ୍ଚାଇ ରଖିଥିଲେ।
ଗ୍ୱାଲିଅର୍ରେ ଏକ ଟୁର୍ଣ୍ଣାମେଣ୍ଟ ଖେଳିବା ସମୟରେ ପାଖରେ ଟଙ୍କା ସରିଯିବାରୁ ବାପା ଓ ପୁଅଙ୍କୁ ଏକ ରାତ୍ରି ଆଶ୍ରୟ ସ୍ଥଳରେ ରହିବାକୁ ପଡ଼ିଥିଲା। ସେହିଦିନ ସେମାନେ ଖାଲି ପେଟରେ ଶୋଇଥିଲେ ଏବଂ ଟୁର୍ଣ୍ଣାମେଣ୍ଟ ଜିତି ପୁରସ୍କାର ରାଶି ପାଇବା ପରେ ହିଁ ଘରକୁ ଫେରିବା ସମ୍ଭବ ହୋଇଥିଲା।
କାର୍ତ୍ତିକଙ୍କ ବାପାଙ୍କ କହିବା ଅନୁଯାୟୀ, ମାତ୍ର ଦୁଇ ବର୍ଷରୁ ଅଧିକ ବୟସରେ ସେ ବ୍ୟାଟ୍ ଧରିଥିଲେ ଏବଂ ଘରର ଫଟୋ ଫ୍ରେମ୍ ଭାଙ୍ଗି ଦେଇଥିଲେ। ସେହିଦିନରୁ ତାଙ୍କ ଭିତରେ ଥିବା ପ୍ରତିଭାକୁ ପରିବାର ଲୋକେ ଚିହ୍ନି ପାରିଥିଲେ। ପିତା ମନୋଜ ନିଜେ ଜଣେ କ୍ରିକେଟର ଥିଲେ ମଧ୍ୟ ଆଘାତ ଯୋଗୁଁ ତାଙ୍କ କ୍ୟାରିୟର ଶେଷ ହୋଇଯାଇଥିଲା। ସେଥିପାଇଁ ସେ ନିଜ ଅଧୁରା ସ୍ୱପ୍ନ ପୁଅ ମାଧ୍ୟମରେ ପୂରଣ କରିବାକୁ ସଙ୍କଳ୍ପ କରିଥିଲେ।
୧୯ ବର୍ଷୀୟ କାର୍ତ୍ତିକଙ୍କୁ କେବଳ ୩୦ ଲକ୍ଷ ଟଙ୍କାର ବେସ୍ ପ୍ରାଇସ୍ରେ ନିଲାମ ତାଲିକାରେ ରଖାଯାଇଥିଲା, କିନ୍ତୁ ତାଙ୍କର ଆକ୍ରମଣାତ୍ମକ ବ୍ୟାଟିଂ ଶୈଳୀ ପାଇଁ CSK ତାଙ୍କୁ ୧୪.୨୦ କୋଟିରେ କିଣିଛି। ଆଇପିଏଲ୍ ଇତିହାସରେ ସେ ସବୁଠାରୁ ମହଙ୍ଗା ‘ଅନ୍-କ୍ୟାପଡ୍’ (ଯେଉଁମାନେ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିନାହାନ୍ତି) ଖେଳାଳି ହୋଇପାରିଛନ୍ତି।
ଏତେ ବଡ଼ ସଫଳତା ପରେ ମଧ୍ୟ କାର୍ତ୍ତିକ ନମ୍ର ରହିଛନ୍ତି। ସେ ଚଳିତ ବର୍ଷ ଦ୍ୱାଦଶ ଶ୍ରେଣୀ ପାସ୍ କରିଥିବା ବେଳେ କ୍ରିକେଟ୍ ସହ ନିଜର ଗ୍ରାଜୁଏସନ୍ ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି।


