ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ ଗ୍ରାମର ବାସିନ୍ଦା ସିକନ୍ଦର ମଣ୍ଡଳଙ୍କ ସ୍ତ୍ରୀ କୃପା କୁମାରୀ ତାଙ୍କ ଜ୍ୱାଇଁ ବିଜୟ କୁମାର ସାହାଙ୍କ ସହିତ ଘରୁ ଫେରାର ହୋଇଯାଇଥିଲେ।
କୃପା କୁମାରୀ ମାର୍ଚ୍ଚ ୫ରେ ବୁଲିବାକୁ ଯିବା ବାହାନାରେ ଘରୁ ବାହାରିଥିଲେ, କିନ୍ତୁ ଆଉ ଫେରି ନ ଥିଲେ। ବହୁ ଖୋଜାଖୋଜି ପରେ କୌଣସି ସୁରାକ ନ ମିଳିବାରୁ ତାଙ୍କ ସ୍ବାମୀ ମାର୍ଚ୍ଚ ୧୦ରେ ସରିଆହାଟ ଥାନାରେ ଅଭିଯୋଗ କରିଥିଲେ।
ମାମଲାର ତଦନ୍ତ କରୁଥିବା ଏଏସ୍ଆଇ ଜୟ ପ୍ରକାଶ ତିଓ୍ବାରୀ ମୋବାଇଲ ଲୋକେସନ ଆଧାରରେ ତଦନ୍ତକୁ ଆଗକୁ ବଢ଼ାଇଥିଲେ। ଟେକ୍ନିକାଲ ତଦନ୍ତ ଦ୍ୱାରା ଫେରାର ଦମ୍ପତି ହରିୟାଣାର ଗୁରୁଗ୍ରାମରେ ଥିବା ଚିହ୍ନଟ କରାଯାଇଥିଲା। ପରବର୍ତ୍ତୀ ସମୟରେ ହରିୟାଣା ପୋଲିସ ସହାୟତାରେ ସେଠାରେ ଚଢାଉ କରାଯାଇଥିଲା। ଯେଉଁଠାରୁ ସେମାନଙ୍କୁ ଉଦ୍ଧାର କରାଯାଇ ଦୁମକାକୁ ଅଣାଯାଇଥିଲା।
ଥାନା ଇନ୍ଚାର୍ଜ ରାଜେନ୍ଦ୍ର ଯାଦବ କହିଛନ୍ତି, ପଚରାଉଚରା ସମୟରେ ଜଣାପଡ଼ିଥିଲା ଯେ, ମହିଳା ତାଙ୍କ ଜ୍ୱାଇଁଙ୍କ ସହିତ ନିଜ ଇଚ୍ଛାରେ ଯାଇଥିଲେ। ବର୍ତ୍ତମାନ ପୋଲିସ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛି।

