ଝିଅକୁ ଭାଲୁ ମୁହଁକୁ ଫୋପାଡ଼ି ଦେଲା ମା’

ତାଶକେଣ୍ଟ,୩।୨: ଉଜବେକିସ୍ତାନର ଏକ ଜୁ (ପ୍ରାଣୀ ଉଦ୍ୟାନ କେନ୍ଦ୍ର)ରେ ୩ ବର୍ଷୀୟା ଝିଅକୁ ଭାଲୁ ମୁହଁକୁ ଫିଙ୍ଗି ଦେଇଥିଲେ ମା’। ଆହତ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ତାଙ୍କ ମା’ଙ୍କୁ ହତ୍ୟା ଉଦ୍ୟାମ ଲାଗି ଗିରଫ କରିଛି ପୋଲିସ।

ତାଶକେଣ୍ଟ ଜୁ’ରେ ଘଟିଥିବା ସମ୍ପୂର୍ଣ୍ଣ ଘଟଣା କଏଦ ହୋଇଛି କ୍ୟାମେରାରେ। ଏନ୍‌କ୍ଲୋଜରର ଗ୍ରିଲକୁ ଲାଗି ଛିଡ଼ା ହୋଇଥିବା ମହିଳା ଭାଲୁ ଆଗକୁ ଝିଅକୁ ଫୋପାଡ଼ି ଦେଉଥିବା ଭିଡିଓରେ ଦେଖିବାକୁ ମିଳିଛି। ୧୬ ଫୁଟ୍‌ ତଳକୁ ଖସି ପଡ଼ିଥିବା ନାବାଳିକାଙ୍କୁ ବଞ୍ଚାଇବା ପାଇଁ ଦେଖଣାହାରୀ କିଛି କରିପାରି ନ ଥିଲେ। ଜୁଜୁ ନାମକ ବ୍ରାଉନ ଭାଲୁ ନାବାଳିକଙ୍କ ପାଖକୁ ଯାଇ ସୁଙ୍ଗିଥିଲା। କିନ୍ତୁ କିଛି କ୍ଷତି ନ କରି ଚାଲି ଯାଇଥିଲା। ସୁରକ୍ଷା ଅଧିକାରୀମାନେ ଭାଲୁକୁ କଏଦ କରିବା ପରେ ନାବାଳିକାଙ୍କୁ ଉଦ୍ଧାର କରିଥିଲେ।

ପୀଡ଼ିତାଙ୍କ ମା’ଙ୍କୁ ପଚରାଉଚରା କରିବା ପରେ ହତ୍ୟା ଅଭିଯୋଗରେ ଗିରଫ କରାଯାଇଛି। ଯଦି ସେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ ୧୫ ବର୍ଷର ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ।

Share