ଝିଅର ଅଶ୍ଳୀଳ ଫଟୋ ଭାଇରାଲ ପରେ ମା’ଙ୍କ ଆତ୍ମହତ୍ୟା

ଯାଜପୁର ଟାଉନ୍‌, ୨୭ା୮ (ଡି.ଏନ୍‌.ଏ.): ଝିଅର ଅଶ୍ଳୀଳ ଫଟୋ ଭାଇରାଲ ହେବା ପରେ ମା’ ଆତ୍ମହତ୍ୟା କରିବା ଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ଯାଜପୁର ଟାଉନ ଥାନା ଅଞ୍ଚଳରେ। ଏହି ଘଟଣାରେ ପୋଲିସ ବାଲେଶ୍ୱର ଜିଲା ସିଙ୍ଗଲା ଥାନା ଅଧୀନ ବଉଳଙ୍ଗ ଗ୍ରାମର ଯାଦବ ଦଳେଇଙ୍କ ପୁଅ ଶୁଭଙ୍କର (୨୦) ଓ ତାଙ୍କ ସହଯୋଗୀ ଜୟଦେବ ଦଳେଇ(୧୯)ଙ୍କୁ ବୁଧବାର ଗିରଫ କରିଛି।
ଘଟଣା ମୁତାବକ, ଯାଜପୁର ଟାଉନ୍‌ ଥାନା ଅଞ୍ଚଳର ଜଣେ ଯୁକ୍ତ ୨ ଛାତ୍ରୀଙ୍କୁ ଶୁଭଙ୍କର ସୋସିଆଲ ମିଡିଆରେ ପ୍ରେମ ନିବେଦନ କରିଥିଲେ। ମାତ୍ର ଛାତ୍ରୀ ଜଣକ ଏହାକୁ ଗୁରୁତ୍ୱ ନ ଦେବା ସହ ଏ ନେଇ ପରିବାର ଲୋକଙ୍କୁ ଜଣାଇଥିଲେ। ଏହାପରେ ଶୁଭଙ୍କରଙ୍କୁ ବ୍ଲକ କରିଦେଇଥିଲେ। ଏଥିରେ ପ୍ରତିଶୋଧ ପରାୟଣ ହୋଇ ଶୁଭଙ୍କର ସମ୍ପୃକ୍ତା ଛାତ୍ରୀଙ୍କ ନାମରେ ଏକ ଫେକ୍‌ ଆକାଉଣ୍ଟ ଖୋଲିବା ସହ ଫଟୋଶପ୍‌ରେ ଏଡିଟ୍‌ କରି ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ସେୟାର କରିଥିଲେ। ଝିଅର ଏଭଳି ଫଟୋ ଭାଇରାଲ ହୋଇଥିବା ଜାଣିବା ପରେ ତାଙ୍କ ମା’ ଗତ ସୋମବାର ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଏ ନେଇ ବୁଧବାର ଥାନାରେ ଅଭିଯୋଗ ହେବା ପରେ ପୋଲିସ ମାମଲା (ନଂ.୩୧୧/୨୦) ରୁଜୁ କରି ମୁଖ୍ୟ ଅଭିଯୁକ୍ତ ଶୁଭଙ୍କର ଓ ତାଙ୍କ ସହଯୋଗୀ ଜୟଦେବଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।