କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନ୍‌ସୁଗାର କଟକରୁ ଜବତ: ୬ ଗିରଫ

କଟକ ଅଫିସ, ୯।୮: କଟକରୁ ୧ କେଜି ୧୫୯ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କାରୁ ଅଧିକ। ଏହା ସହ ଘଟଣାରେ ସମ୍ପୃକ୍ତ ୬ ଜଣଙ୍କୁ ପୋଲିସ ଗିରଫ କରିଛି। ସୋମବାର ଏକ ଖବରଦାତା ସମ୍ମିଳନୀରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏହି ସୂଚନା ଦେଇଛନ୍ତି। ବିଶେଷ ସୂତ୍ରରୁ ଖବରପାଇ ରବିବାର ଅପରାହ୍ନରେ କଟକ ଲାଲଓ୍ବାଗ ଥାନା ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍‌ ଏକ ମିଳିତ ଟିମ ଚଢ଼ାଉ କରି ବ୍ରାଉନସୁଗର ଜବତ କରିବା ସହିତ ୬ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ଗିରଫ ହୋଇଥିବା ଏହି ୬ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣ ଜଗତସିଂହପୁରର ହୋଇଥିବା ବେଳେ ଜଣେ ପୁରୀର ଓ ଅନ୍ୟ ଜଣେ କଟକର ଲାଲଓ୍ବାଗ ଥାନା ଅଞ୍ଚଳର ବାସିନ୍ଦା। ସେମାନଙ୍କ ନାଁରେ ଅନ୍ୟାନ୍ୟ ମାମଲା ମଧ୍ୟ ରହିଛି। ସେହିପରି ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଠାରୁ ପୂର୍ବରୁ ମଧ୍ୟ ବ୍ରାଉନସୁଗର ଜବତ କରାଯାଇଥିଲା।