ନୂଆଦିଲ୍ଲୀ,୨୩ା୩(ପି.ଟି.): ଶ୍ରେଣୀଗୃହରେ ପିଲାମାନଙ୍କ ଧ୍ୟାନ ହ୍ରାସ ପାଇବା ସହ ଇଣ୍ଟରନେଟ୍, ସୋସିଆଲ ମିଡିଆ ଏବଂ ମେସେଜିଂ ଆପ୍ ଜରିଆରେ ସେମାନଙ୍କୁ ଡରାଇବା, ଅପମାନିତ କରିବା ଓ ବଦନାମ କରିବା ଆଦି ଘଟଣା ଘଟୁଥିବାରୁ ଏହାକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି। ଏହି କାରଣରୁ ବିଶ୍ୱର ଅର୍ଦ୍ଧାଧିକ ଦେଶ ସ୍କୁଲରେ ଫୋନ୍ ବ୍ୟବହାରକୁ ନିଷେଧ କଲେଣି ବୋଲି ୟୁନେସ୍କୋର ବୈଶ୍ୱିକ ଶିକ୍ଷା ପର୍ଯ୍ୟବେକ୍ଷଣ (ଜିଇଏମ୍) ଟିମ୍ କହିଛି। ସୋସିଆଲ୍ ମିଡିଆ ବ୍ୟବହାର ଦ୍ୱାରା ପିଲାମାନଙ୍କ ଖାଦ୍ୟଗ୍ରହଣ ସମସ୍ୟାକୁ ଜଟିଳ କରିଦେଇଛି। ପୁଅଙ୍କ ତୁଳନାରେ ଝିଅମାନଙ୍କଠାରେ ଏଭଳି ସମସ୍ୟା ଦୁଇଗୁଣ ରହିଥିବା ଟିମ୍ ଜାଣିବାକୁ ପାଇଛି। ଇନ୍ଷ୍ଟାଗ୍ରାମ୍ ବ୍ୟବହାର କରିବା ପରେ ୩୨ ପ୍ରତିଶତ କିଶୋରୀ ସେମାନଙ୍କ ଶରୀରକୁ ନେଇ ଖରାପ ଅନୁଭବ କରୁଥିବା ଫେସ୍ବୁକ୍ର ନିଜସ୍ବ ଗବେଷଣାରୁ ଜଣାପଡ଼ିଛି।
ଟିକ୍ଟକ୍ର ଆଲଗୋରିଦମ୍ ବିପଜ୍ଜନକ ଧାରା ସୃଷ୍ଟି କରିଛି। ଶରୀର ଫଟୋ କଣ୍ଟେଣ୍ଟ ଥାଇ କିଶୋରୀମାନଙ୍କୁ ଏଥିରେ ପ୍ରତି ୩୯ ସେକେଣ୍ଡରେ ଟାର୍ଗେଟ କରାଯାଉଛି ଏବଂ ସେମାନଙ୍କ ଖାଇବା ପ୍ରକ୍ରିୟାରେ ବ୍ୟତିକ୍ରମ ଦେଖାଯାଉଛି। ନିକଟରେ ହୋଇଥିବା ଏକ ବୈଶ୍ୱିକ ସର୍ବେକ୍ଷଣରୁ ଜଣାପଡ଼ିଛି, ୧୧୪ଟି ଶିକ୍ଷା ବ୍ୟବସ୍ଥା ସ୍କୁଲଗୁଡ଼ିକରେ ଜାତୀୟ ସ୍ତରରେ ନିଷେଧାଦେଶ ଲଗାଇଛନ୍ତି ଅର୍ଥାତ୍ ବିଶ୍ୱବ୍ୟାପୀ ୫୮ ପ୍ରତିଶତ ଦେଶରେ ଏଭଳି କଟକଣା ଲାଗୁ ହୋଇଛି। ୨୦୨୩ ଜୁନ୍ରେ ୨୪ ପ୍ରତିଶତ ସ୍କୁଲ୍ରେ କଟକଣା ଲାଗିଥିବାବେଳେ ୨୦୨୫ ପ୍ରଥମ ଭାଗରେ ଏହା ୪୦ ପ୍ରତିଶତକୁ ବୃଦ୍ଧି ପାଇଥିଲା। ୨୦୨୬ ମାର୍ଚ୍ଚ ସୁଦ୍ଧା ଏହା ଆହୁରି ୧୮ ପ୍ରତିଶତ ବଢ଼ି ୫୮ ପ୍ରତିଶତରେ ପହଞ୍ଚତ୍ଥିବା ଜିଇଏମ୍ ପକ୍ଷରୁ କୁହାଯାଇଛି।

